ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାରେ ଡିଜି କହିଲେ- ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ବେଡ଼ି ପକାଇବା ଘଟଣା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଗେଜେଟେଡ୍‌ ଅଫିସର(ବରିଷ୍ଠ ଅଧିକାରୀ) ଙ୍କ ଦ୍ବାରା ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଏହା ପରେ ଘଟଣା ସହିତ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ରାତି ସୁଦ୍ଧା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ନୀଳଗିରି ବଜାରରେ ଗାଡ଼ି ପିର୍କିଂକୁ ନେଇ ‘ସମ୍ବାଦ’ର ସାମ୍ବାଦିକ ଲୋକନାଥ ଦଳେଇ ଏବଂ ସ୍ଥାନୀୟ ଥାନାର ଜଣେ କନ୍‌ଷ୍ଟେବଲଙ୍କ ସହ ଗତ ୪ ତାରିଖ ଦିନ କଥା କଟାକଟି ହୋଇଥିଲା। ଲୋକନାଥ ନୀଳଗିରି ପୁଲିସର ମନମୁଖି କାମ ତଥା ଡ୍ରଗ୍‌ସ କାରବାର ନେଇ ଏକାଧିକ ଖବର ପ୍ରକାଶ କରିଥିବାରୁ ସେ ଟାର୍ଗେଟ୍‌ରେ ଥିଲେ। କନ୍‌ଷ୍ଟେବଲଙ୍କ ସହ ଯୁକ୍ତିତର୍କ ପରେ ନୀଳଗିରିି ପୁଲିସକୁ ପ୍ରତି‌େଶାଧ ନେବାର ସୁଯୋଗ ମିଳିଥିଲା। ଗତକାଲି ଲୋକନାଥଙ୍କ ନାମରେ ମିଛ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିଲା। ଏମିତି କି ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଏପରି ସମୟରେ ଲୋକନାଥ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସେଠାରୁ ବାଲେଶ୍ବର ଡାକ୍ତରଖାନା ନେଇଥିଲା। ତେବେ ଡାକ୍ତରଖାନାରେ ବି ପୁଲିସ ବହପ ଦେଖାଇଥିଲା। ବେଡ୍‌ରେ ଚିକିତ୍ସିତ ହେଉଥିବା ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର