ଅନଗୁଳ: ଗଣେଶ ପ୍ରତିମା ବିସର୍ଜନ ବେଳେ ବୁଡ଼ି ଯାଇ ୧୦ମ ଶ୍ରେୀ ଛାତ୍ର ମୃତ

ଅନଗୁଳ: ରବିବାର ସକାଳେ ନିଶା ଥାନା ଅନ୍ତର୍ଗତ ଖଣ୍ଡାରବାହାଳ ଗ୍ରାମର ଜଣେ ଛାତ୍ର ଗଣେଶ ପ୍ରତିମା ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି।

ମୃତ ଛାତ୍ର ଜଣକ ହେଉଛନ୍ତି ବସନ୍ତ ପରିଡ଼ାଙ୍କ ପୁଅ ୧୫ ବର୍ଷିୟ ଚନ୍ଦନ ପରିଡ଼ା। ସେ ନିଶା ହାଇସ୍କଲ୍‌ରେ ୧୦ମ ଶ୍ରେଣୀରେ ପଢୁଥିଲେ।

ପାଖାପାଖି ୩୦ ସରିକି ଛାତ୍ର ଓ ଶିକ୍ଷକ ସକାଳ ପ୍ରାୟ ସାଢ଼େ ନଅଟା ବେଳେ ସ୍କୁଲ୍‌ରେ ପୂଜିତ ଗଣେଶଙ୍କ ମୃଣ୍ମୟ ପ୍ରତିମାକୁ ବସର୍ଜନ କରିବାକୁ ସ୍କୁଲ୍‌ ଠାରୁ ୩୦ ମିଟର୍‌ ଦୂରରେ ଥିବା ଏକ ପୋଖରୀକୁ ନେଇଥିଲେ।

ପ୍ରତିମାର ଚାରିଆଡୁ ଧରି ଟେକି ଟେକି ନେଇ ପାଣିରେ ଉଝେଇ ଦେବାକୁ ପିଲାଏ ପୋଖରୀର ତିନି ଚରିଟି ପାହାଚ ତଳକୁ ଯାଇଥିଲେ। ସେଠାରେ ପ୍ରତିମାକୁ ପାଣିରେ ଶୁଆଇ ଦେବା ବେଳେ ତିନି ଚାରି ଜଣ ପିଲା ପାଣି ମେଢ ସହ ଚାପି ହୋଇ ପାଣି ଭିତରକୁ ଚାଲି ଯାଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ସେମାନେ ପାଣିରୁ ନ ଉଠିବାରୁ ସାଥୀ ପିଲାମାନେ ପାଣିରେ ବୁଡ଼ି ସେମାନଙ୍କୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ। କିନ୍ତୁ, ସେମାନଙ୍କ ଭିତରେ ଚନ୍ଦନ ନ ଥିଲା। ପୁଣି ଥରେ ବୁଡ଼ି ଖୋଜାଖୋଜି କରିବାରୁ ଚନ୍ଦନ ମିଳିଥିଲା।

ଅଚେତ ଚନ୍ଦନର ପେଟରୁ କିଛି ପାଣି ବାହାର କରି ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଡାକ୍ତର ଘୋଷଣା କରିଥିଲେ।

ନିଶା ହାଇସ୍କୁଲ୍‌ ଅନଗୁଳ ଠାରୁ ୩୦ କିଲୋମିଟର୍‌ ଦୂରରେ ହୋଇଥିବାରୁ ଖବର ପାଇ ଅନଗୁଳ ପୁଲିସ ଘଟଣାସ୍ଥଳକୁ ଯାଇଛି। ନିଶା ପୁଲିସ ମଧ୍ୟ ସେଠାକୁ ଆସୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର