ସଂକଟରେ ପଶୁମୁଖା କଳା କାରିଗର : କମୁଛି ଚାହିଦା, କୌଳିକ ପେସା ବଞ୍ଚାଇ ରଖିବାକୁ ଖଲିଙ୍କ ପ୍ରୟାସ Latestଗଞ୍ଜାମରାଜ୍ୟ By Sambad Digital Last updated Mar 14, 2021 ସେୟାର ଜଗନ୍ନାଥପ୍ରସାଦ : ବାହାଘର, ଯାନିଯାତ୍ରା, ମେଲଣ, ଭସାଣି ଉତ୍ସବ କିମ୍ବା ପର୍ବପର୍ବାଣୀରେ ଆଗଭଳି ବାଘ ଓ ଷଣ୍ଢ ଲଢେ଼ଇ, ଯୋଡ଼ି ଚଇତି ଘୋଡ଼ା ନାଚ, କୌତୁକିଆ ବୁଢ଼ାବୁଢ଼ୀ ଓ ଛୋଟଛୋଟ ଭଳି ଭଳିକା ମାଟି କଣ୍ଢେଇର ପସରା ଆଉ ଦେଖିବାକୁ ମିଳୁନାହିଁ। ବାହାଘର ଓ ବ୍ରତଘରର ବେଳେ ଗାଁ ପରିକ୍ରମା ବେଳେ ଆଉ ରଜାରାଣୀ କଣ୍ଢେଇ ବି ଅତିଥିଙ୍କୁ ଆକର୍ଷଣ କରୁନି। ତେଣୁ ଏହି ମୁଖା ତିଆରି କରି ସମାଜରେ ନିଜର ପରିଚୟ ସୃଷ୍ଟି କରିଥିବା କାରିଗରମାନେ ମଧ୍ୟ ଏହି ବେଉସା ପ୍ରାୟ ଛାଡ଼ି ସାରିଲେଣି। କିନ୍ତୁ ଏହି କଳାକୁ ବଞ୍ଚାଇ ରଖିଥିବା ଖଲି ସାହୁ, ପୁଣି ଏହାର ଚମକ ଫେରି ଆସିବ ବୋଲି ଆଶା ରଖିଛନ୍ତି। ପଶୁମୁଖା ବିକ୍ରି ନହେଲେ ବି ବେଳେ ବେଳେ ଭଡ଼ା ଯାଉଛି। ଏଥିରୁ ସାମାନ୍ୟ ଆୟ ହେଉଥିବା ବେଳେ କୁଳ ବେଉସା ବୁଡ଼ିବାକୁ ଦେଇ ନାହାନ୍ତି ସେ। Sambad is now on WhatsApp Join and get latest news updates delivered to you via WhatsApp Join Now ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଛାମୁଣ୍ଡା ଗ୍ରାମର ରଙ୍ଗଣି ସାହିରେ ଖଲିଙ୍କ ଘର। ବୟସ ପାଖାପାଖି ୭୦। କାମ ଗୋବର କଣ୍ଢେଇ କାରିଗରି। ବାଉଁଶ ପାତି, ଗୋବର, ଅଠା, ରଙ୍ଗୀନ କପଡ଼ା, ରଙ୍ଗ ବେରଙ୍ଗର ନକଲି ଅଳଙ୍କାର, ଭେଲ୍ଭେଟ କପଡ଼ା ଲଗାଇ ତିଆରି କରନ୍ତି ବାଘ ମୁଣ୍ଡ, ମୟୁର ପକ୍ଷୀ, ରାଜାରାଣୀ, ଷଣ୍ଢ, ଘୋଡ଼ା, ଗଣେଶ ଓ ଜଗନ୍ନାଥଙ୍କ ମୁଖା। ଅତି ନିଖୁଣ ଭାବେ ତିଆରି ଏହି ମୂର୍ତ୍ତିଗୁଡିକ ଘରେ ସଜାଇ ରଖିଛନ୍ତି। ତେବେ ତାଙ୍କର ବାଘ ମୁଣ୍ଡ ତିଆରି କାର୍ଯ୍ୟ ପାଇଁ ସେ ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ। ପଶୁମୁଖା, କଳାଧଳା ଘୋଡ଼ା ମୁଣ୍ଡ, ବାଘ ଓ ଷଣ୍ଢ ମୁଣ୍ଡ ଗୁଡ଼ିକ ଆଗରୁ ବହୁ ପରିମାଣରେ ବିକ୍ରି ହେଉଥିବା ବେଳେ ଏବେ କିନ୍ତୁ ଯାନିଯାତ୍ରାରେ ଲୋକେ ଭଡ଼ା ନେଉଛନ୍ତିl ପୂର୍ବରୁ ଘର ସଜାଇବା ପାଇଁ ରଙ୍ଗବେରଙ୍ଗର ଛୋଟ ଛୋଟ ହାତୀ, ଚଢେଇ, ସଖୀ ମୂର୍ତ୍ତି ଗୁଡ଼ିକ ଯାନିଯାତ୍ରାରେ ବହୁଳ ବିକ୍ରି ହେଉଥିଲା। ଏବେ ଆଉ ତାର ଚାହିଦା ନାହିଁ। ଏହାର ଜାଗା ପ୍ଲାଷ୍ଟିକ କଣ୍ଢେଇ ନେଇ ସାରିଛି। ତେଣୁ ଏସବୁ ଆଉ ଅଞ୍ଚଳରେ ତିଆରି ହେଉନାହିଁ। ଏହାକୁ ତିଆରି କରୁଥିବା କାରିଗରମାନେ ଦାଦନ ଖଟିବା ପାଇଁ ଏବେ ବାହାର ରାଜ୍ୟ ମୁହାଁ। ଖଲି ବି ଦାଦନ ଖଟିବା ପାଇଁ ଗୁଜରାଟର ସୁରତକୁ ପଳାଇ ଯାଇଥିଲେ। ହେଲେ ବୟସାଧିକ ହେତୁ ଗ୍ରାମକୁ ଫେରି ନିଜର କୁଳ ବେଉସାକୁ ପୁଣି ଆପଣାଇଛନ୍ତି। ଆଉ ତାଙ୍କୁ କାମରେ ସ୍ତ୍ରୀ ସୁବାସିନୀ ସାହୁ ଓ ବୋହୂ ମିନତି ବି ସହଯୋଗ କରୁଛନ୍ତି। ଜେଜେବାପା ଦୟାନିଧି ସାହୁଙ୍କ ଠାରୁ ସେ ଏହି କଳା ଶିଖିଥିଲେ। ଲାଭ ହେଉ ବା ନହେଉ, ଜୀବନର ଶେଷ ପର୍ଯ୍ୟନ୍ତ ଏହାକୁ ବଞ୍ଚାଇ ରଖିବା ପାଇଁ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ବୃଦ୍ଧ ଖଲିଙ୍କୁ କାରିଗର ବା କଳାକାର ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳୁନି। ଦୁଇ ପୁଅ ଏଠାରେ କାମ ନ ମିଳିବାରୁ ଦାଦନ ଖଟିବା ପାଇଁ ସୁରଟ ଯାଇଥିବା ବେଳେ ସେମାନେ ପଠାଉଥିବା ଟଙ୍କାରେ ପରିବାର ଚଳୁଛି। ଆଉ ନିଜର ହାତଖର୍ଚ୍ଚ ପାଇଁ ଏହି ମୁଖା ତିଆରି କରୁଛନ୍ତି। ତାଙ୍କ ପରେ ଏହି ବୃତ୍ତିର ଅନ୍ତ ଘଟିବ ବୋଲି ସେ କହିଛନ୍ତି।