ଖୁସି ଖବର: ପୁଣି ସୁସ୍ଥ ହେଲେ ୨୭ ସଂକ୍ରମିତ , ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୪୩

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ଗଂଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨-୨ ଓ କୋରାପୁଟ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।

 

ତେବେ ଗଂଜାମ ଜିଲ୍ଲାରୁ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପ୍ରଥମ ଥର ପାଇଁ ୨ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨୦୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ମୋଟ ୯୦ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୨୦ ଜଣ ସୁସ୍ଥ ହୋଇଛନ୍ତି । ଆହୁରି ୭୦ ଜଣ ଚିକିତ୍ସାଧୀନ ଅଛନ୍ତି ।

ଭଦ୍ରକରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ସଂଖ୍ୟା ୧୯ରେ ପହଞ୍ଚିଛି । ଜିଲ୍ଲାରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଆଜି ୨ ଜଣ ଭଲ ହେବା ପରେ ସୁସ୍ଥ ହୋଇଥିବା ସଂଖ୍ୟା ୧୨ରେ ପହଞ୍ଚିଛି । ଏବେ ଜିଲ୍ଲାରେ ଆହୁରି ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କୋରାପୁଟରେ ଏକମାତ୍ର କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏଥି ସହିତ କୋରାପୁଟ ଜିଲ୍ଲା କରୋନା ମୁକ୍ତ ହୋଇଛି । କେନ୍ଦୁଝର ଜିଲ୍ଲାରେ ଜଣେ ମାତ୍ର ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଆହୁରି ୩ ଜଣଙ୍କ ଚିକିତ୍ସା ଲାଗି ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ବ୍ୟକ୍ତି ସୁସ୍ଥ ହେବା ପରେ ଏବେ ଏହି ସଂଖ୍ୟା ୪୫ରେ ପହଞ୍ଚିଛି । ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମାତ୍ର ୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟରେ ଗତକାଲି ରାତି ୧୨ଟା ସୁଦ୍ଧା ୭୨ ହଜାର ୭୫୬ଟି ନମୁନା ପରୀକ୍ଷା ହୋଇଛି । ଆଜି ସୁଦ୍ଧା ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୪୩ ଜଣ ସୁସ୍ଥ ହୋଇଥିବା ବେଳେ ୩୯୨ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ସମ୍ବନ୍ଧିତ ଖବର