ଗୋବିନ୍ଦର ଆଉ ଏକ ଚଞ୍ଚକତା: ଆଦିବାସୀଙ୍କ ଜମି ହଡ଼ପ କରି ଫାର୍ମହାଉସ୍‌

ଭବାନୀପାଟଣା: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆଉ ଏକ ଚଞ୍ଚକତା ସାମ୍‌ନାକୁ ଆସିଛି। ଅଦିବାସୀମାନେ ପାଇଥିବା ଜଙ୍ଗଲ ଜମିକୁ ହଡ଼ପ କରି ସେ ଏକ ଫାର୍ମ ହାଉସ୍‌ ତିଆରି କରିଛି। ସେଠାରେ ୧୫୦ରୁ ଅଧିକ ଆମ୍ବଗଛ ଏବଂ ପନିପରିବା ଚାଷ କରି ମାଲାମାଲ ହେଉଛି। ପ୍ରଭାବଶାଳୀ ଲୋକ ଯୋଗୁଁ ଆଦିବାସୀମାନେ ଗୋବିନ୍ଦ ବିରୋଧରେ ମୁହଁ ଖୋଲିପାରୁ ନଥିଲେ। ମୁହଁ ଖୋଲିଲେ କେସ୍‌ ଠୁଙ୍କିଦେବାର ଭୟ ମଧ୍ୟ ସେ ଦେଖାଉଥିଲା। ତେବେ, ଏହା ଜାଣି ମଧ୍ୟ ପ୍ରଶାସନ ଚୁପ୍‌ ରହିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

ମହାଲିଙ୍ଗ କଲେଜଠାରୁ ପ୍ରାୟ ଦେଢ଼ କିମି ଦୂର ଜଙ୍ଗଲ ରାସ୍ତାରେ ଗୋବିନ୍ଦ ସାହୁ ଗତ ୪ବର୍ଷ ତଳେ ଏକ ଫାର୍ମହାଉସ ନିର୍ମାଣ କରିଛି। ସେଠାରେ ପ୍ରାୟ ଦେଢ଼ଶହରୁ ଅଧିକ ହାଇବ୍ରିଡ଼ ଆମ୍ବଗଛ ଲଗାଇଥିବା ବେଳେ ପନିପରିବା ଚାଷ କରି ଅର୍ଥ ଉପାର୍ଜନ କରୁଛି। ସେଠାରେ ଜଣେ ଜଗୁଆଳିକୁ ମଧ୍ୟ ନିୟୋଜିତ କରିଛି। ନିଛାଟିଆ ଅଞ୍ଚଳରେ ପ୍ରାୟ ୧୨ ଏକରରୁ ଅଧିକ ଜମିରେ ଏହି ଫାର୍ମହାଉସ ନିର୍ମାଣ କରିଛି। ଜଙ୍ଗଲ ଜମି ଅଧିକାର ଆଇନରେ ପ୍ରାୟ ୩୦ରୁ ୪୦ ଜଣ ଆଦିବାସୀ ଲୋକ ଜଙ୍ଗଲ ଜମି ପାଇଥିଲେ। କିନ୍ତୁ ଗୋବିନ୍ଦ ସାହୁ ଏହି ଜଙ୍ଗଲ ଜମିକୁ ଅକ୍ତିଆର କରି ରଖିଛି। ମହାଲିଙ୍ଗ ନିକଟ କୋଦୋଭଟା, ବେତ୍ରାସପାଲି, ମହୁଲପଡ଼ା, ଡୁମେରପଡ଼ା, ଜୟନ୍ତପୁର ଆଦି ଗାଁର ଆଦିବାସୀମାନେ ଏହି ଜଙ୍ଗଲ ଜମି ପଟ୍ଟା ପାଇଥିଲେ। ପଟ୍ଟା ପାଇଛନ୍ତି ଅଥଚ ସେମାନେ ଜାଗା ଦଖଲ କରିପାରିନାହାନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ତହସିଲଦାର ଓ ଆର୍‌ଆଇଙ୍କ ପାଖରେ ଆଦିବାସୀମାନେ ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ ପ୍ରଭାବଶାଳୀ ହୋଇଥିବାରୁ ଏବଂ ମହାଲିଙ୍ଗ କଲେଜକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘନ ଘନ ଯାତାୟାତ ରହିଥିବାରୁ ଗୋବିନ୍ଦ ବିରୋଧରେ ସେମାନେ ମୁହଁ ଖୋଲିବାକୁ ସାହସ କରିପାରୁ ନଥିଲେ। ପୁଲିସ, ତହସିଲ ଓ ବ୍ଲକ୍‌ ଅଧିକାରୀଙ୍କ ମଧ୍ୟ ମହାଲିଙ୍ଗ କଲେକୁ ଯା’ଆସ ରହିଥିଲା। ଫଳରେ, ସେମାନେ ମଧ୍ୟ ଅଭ‌ିଯୋଗକୁ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ବର୍ତ୍ତମାନ ଗୋବିନ୍ଦ ପୁଲିସ ହେପାଜତରେ ଥିଲେ ମଧ୍ୟ ସେମାନଙ୍କ ଲୋକ କାଳେ ପ୍ରତିଶୋଧ ନେବେ ବୋଲି ଡରରେ ଚୁପ୍‌ ରହିଛନ୍ତି। ଏହି ଜଙ୍ଗଲ ଜମିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ଫାର୍ମହାଉସର ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର