ଏପ୍ରିଲ ୧୯‌ରେ ‘କଥା’ର ସ୍ବନକ୍ଷତ୍ର ଉତ୍ସବ: ଯୋଗଦେବେ ଜ୍ଞାନପୀଠ ବିଜେତା ଦାମୋଦର ମାଜୋ ଏବଂ ପଦ୍ମଶ୍ରୀ ଗଣେଶ ଏନ୍ ଦେବୀ

ପୁରସ୍କୃତ ହେବେ ଦଶ ଜଣ ନବପ୍ରତିଭା

ଭୁବନେଶ୍ବର: କୋଭିଡ୍‌ କଟକଣା ଯୋଗୁଁ ଘୁଞ୍ଚାଯାଇଥିବା ‘ସମ୍ବାଦ’ ଗ୍ରୁପ୍‌ର ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ର ୩୫ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ବିତରଣ ସମାରୋହ ଆସନ୍ତା ଏପ୍ରିଲ ୧୯ ତାରିଖ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଭୁବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବିଖ୍ୟାତ କୋଙ୍କଣୀ କଥାକାର ଦାମୋଦର ମାଜୋ ମୁଖ୍ୟ ଅତିଥି ଏବଂ ବିଶି‌ଷ୍ଟ ଲେଖକ ଓ ସମାଲୋଚକ ପ୍ରଫେସର ଗଣେଶ ଏନ୍ ଦେବୀ ମୁଖ୍ୟବକ୍ତା ଭାବେ ଯୋଗ ଦେବେ। ଶ୍ରୀ ମାଜୋ ୨୦୨୧ ବର୍ଷର ଜ୍ଞାନପୀଠ ପୁରସ୍କାର ପାଇବା ପୂର୍ବରୁ ସାହିତ୍ୟ ଅକାଦେମି ପୁରସ୍କାର ଏବଂ କୋଙ୍କଣୀ ସାହିତ୍ୟ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ସମ୍ମାନ ଓ ସ୍ବୀକୃତି ଲାଭ କରିଛନ୍ତି। ଗୋଆର ସ୍ବାତନ୍ତ୍ର୍ୟ ଅକ୍ଷୁଣ୍ଣ ରଖିବା ତଥା କୋଙ୍କଣୀ ଭାଷାର ସମୃଦ୍ଧି ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେହିପରି ଭାରତର ବିଖ୍ୟାତ ବୁଦ୍ଧିଜୀବୀ, ଲୋକସଂସ୍କୃତିର ସଂରକ୍ଷକ ଏବଂ ଇଂରାଜୀ ସାହିତ୍ୟର ବିଦ୍ବାନ୍‌ ହେଉଛନ୍ତି ପଦ୍ମଶ୍ରୀ ଗଣେଶ ଏନ୍ ଦେବୀ। ସାହିତ୍ୟ ସମାଲୋଚନା, ଭାଷା, ଦର୍ଶନ ଏବଂ ନୃତତ୍ତ୍ବବିଜ୍ଞାନ ଆଦି ବିଭାଗରେ ତାଙ୍କର ନବେରୁ ଅଧିକ ପୁସ୍ତକ ପ୍ରକାଶିତ। ୨୦୧୪ରେ ପଦ୍ମଶ୍ରୀ ଉପାଧି ସହିତ ସେ ସାହିତ୍ୟ ଅକାଦେମି ପୁରସ୍କାର, ଗୁଜୁରାଟର ଭାଷା ଭାରତୀ ସମ୍ମାନ, ନେଦରଲାଣ୍ଡର ପ୍ରିନ୍ସ କ୍ଲଜ୍ ପୁରସ୍କାର ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।

‘ସମ୍ବାଦ’ର ସଂପାଦକ ତଥା ‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଏହି ଅବସରରେ ୨୦୨୧ ବର୍ଷର କଥା ନବପ୍ରତିଭା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଲେଖକଲେଖିକା, ବୁଦ୍ଧିଜୀବୀ ଏବଂ ପୃଷ୍ଠପୋଷକମାନଙ୍କୁ ‘ସମ୍ବାଦ’ ପକ୍ଷରୁ ଅନୁରୋଧ କରାଯାଇଅଛି।

ସମ୍ବନ୍ଧିତ ଖବର