ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିଲାନି, ରୋଗୀକୁ ୫ କି.ମି ବୋହିଲେ

ଆଜି ପୁଣି ଶବକୁ ୫ କିମି କାନ୍ଧେଇ ନେଲେ

ଫୁଲବାଣୀ :  ସଦର ମହକୁମା ଫୁଲବାଣୀରୁ ମାତ୍ର ୧୦ କିଲୋମିଟର ଦୂାରେ ରହିଛି ଗାଁ। ହେଲେ ଭଲ ରାସ୍ତା ନଥିବାରୁ ଗାଁରେ  ପହଞ୍ଚିଲାନି ଆମ୍ବୁଲାନ୍ସ। ଫଳରେ ସୋମବାର ଗ୍ରାମରୁ ୫ କି.ମି ରାସ୍ତା ରୋଗୀକୁ ବୋହି ଫୁଲବାଣୀ ସଦର ମହକୁମା ଡାକ୍ତରଖାନା ଆଣିଥିଲେ ସମ୍ପର୍କୀୟ।  ହେଲେ ତିନିଟି ଗାଁ ଅତିକ୍ରମ କରି ଡାକ୍ତରଖାନା ବୋହିକି ଆଣିଲା ବେଳକୁ ବିଳମ୍ବ ହୋଇଥିଲା। ଆଜି ରୋଗୀ ମୃତ୍ୟୁବରଣ କରିବା ପରେ ଆଜି ପୁଣି ମୃତଦେହକୁ ସମ୍ପର୍କୀୟ ସେମିତି କାନ୍ଧରେ ବୋହି ନେଇଛନ୍ତି। ରାସ୍ତା ଯନ୍ତ୍ରଣା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକର ତୁଡିପାଜୁ ପଞ୍ଚାୟତ ଅନ୍ତର୍ଗତ ଟାଡ଼ପଙ୍ଗା ଗ୍ରାମରେ l

ସୂଚନା ପ୍ରକାରେ ଗ୍ରାମର ଦେବେଶ୍ୱର କହଁର ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଫଳରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।  ଆଉ ଆମ୍ବୁଲାନ୍ସ ବି ଆସିଲା, ହେଲେ ଗାଁରେ ପହଞ୍ଚି ପାରିଲାନି l ଫଳରେ ପରିବାର ଲୋକେ କାନ୍ଧରେ ବୋହି  ତାଡ଼ପଙ୍ଗା ଗ୍ରାମରୁ ଗୁମି, ସୁଡୁବାଲି ଓ ମିଣିଆକାଠି ଗ୍ରାମ ଦେଇ ଡକାଙ୍ଗି ଆଣିଥିଲେ ସେଠାରୁ ଆମ୍ବୁଲାନ୍ସରେ ଆଣିଥିଲେ।  ଠିକ ଆଜି ପୁଣି ଦେବେଶ୍ବରଙ୍କ ମୃତ୍ୟୁ ପରେ ଶବ ବୁହା ଗାଡି ଡକାଙ୍ଗି ଯାଏ ହିଁ ଯାଇଥିଲା। ସେଠାରୁ ଶବକୁ ବୋହି  ନେଇଥିଲେ l କଥା ଉଠିଛି ସଦର ମହକୁମାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ଗ୍ରାମରେ ଏଭଳି ଅବସ୍ଥା ଯାହାକି ଜିଲ୍ଲା ପ୍ରଶାସନ ଆଡକୁ ଆଙ୍ଗୁଳି ଉଠୁଛି l ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରି ଆସୁଛନ୍ତି ହେଲେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ତେବେ ବର୍ତ୍ତମାନ ସେହି ଅଞ୍ଚଳ ଲାଗି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଅନୁଦାନରେ ରାସ୍ତା କାମ ଗତ ସପ୍ତାହେ ହେଲା ଆରମ୍ଭ ହୋଇଥିବା ଜଣାପଡିଛି l ତେବେ ଜିଲ୍ଲାରେ ଏଭଳି ପାଞ୍ଚ ଶହରୁ ଊର୍ଦ୍ଧ୍ବ ଗ୍ରାମ ଓ ପଡା ରହିଛି ଯେଉଁଠିକୁ ପକ୍କା ରାସ୍ତା ନାହିଁ l ଯେଉଁଡି ଏଭଳି ଯମ ଯନ୍ତ୍ରଣା ପ୍ରତିଦିନ ଘଟୁଥିଲେ ମଧ୍ୟ ସାଧାରଣ ନଜରକୁ ଆସୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର