୨ ଉପମୁଖ୍ୟମନ୍ତ୍ରୀ, ୫ ବିରୋଧୀ ଦଳ ନେତା

ଜାତୀୟ ସ୍ତରରେ କଂଗ୍ରେସ ବିରୋଧୀ ହାୱା ବୋହୁଥିବାବେଳେ ୧୯୯୫ ମସିହାରେ କଂଗ୍ରେସ ସରକାରକୁ ପ୍ରତ୍ୟାବର୍ତ୍ତନ କଲା। ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ। ପ୍ରଥମଥର ପାଇଁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୫ ଜଣ ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳିଲା।

୧୯୯୫ ମସିହାରେ ବିଜୁ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପାଇଁ ସକ୍ଷମ ହୋଇପାରିଲେ ନାହିଁ। ନିର୍ବାଚନ ଫଳାଫଳ ତାଙ୍କ ନେତୃତ୍ବାଧୀନ ଜନତା ଦଳ ବିପକ୍ଷରେ ଗଲା। ଏହି ଦଳ ସମୁଦାୟ ୪୬ଟି ଆସନରେ ବିଜୟ ହାସଲ କରିଥିବାବେଳେ କଂଗ୍ରେସ କୁହୁକ ନମ୍ବର ୭୪ ଆସନଠାରୁ ୬ ଅଧିକ ଅର୍ଥାତ୍‌ ୮୦ଟି ଆସନରେ ବିଜୟ ହାସଲ କଲା। ରାଜନୈତିକ ବିଶ୍ଲେଷକଙ୍କ ମତରେ ବାମପନ୍ଥୀ ଦଳ ସହିତ ପ୍ରାକ୍‌-ନିର୍ବାଚନୀ ମେଣ୍ଟ ନ କରିବା ଫଳରେ ଭୋଟ ଗଣିତ ଏପାଖସେପାଖ ହେଲା ଏବଂ ତାହା ହିଁ ଥିଲା ଜନତା ଦଳ ପରାଜୟର କାରଣ।

ସେ ଯାହା ହେଉନା କାହିଁକି, ଏକାଦଶ ବିଧାନସଭାରେ କଂଗ୍ରେସ ୫ ବର୍ଷ ପରେ ପୁଣିଥରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେଦିନ ଥିଲା ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ। ତାଙ୍କ ସହିତ ବସନ୍ତ ବିଶ୍ବାଳ ଓ ହେମାନନ୍ଦ ବିଶ୍ବାଳ ଉପମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ଗ୍ରହଣ କରିଥିଲେ, ଯାହାକି ଓଡ଼ିଶା ରାଜନୀତିରେ ପ୍ରଥମ ତଥା ଉଲ୍ଲେଖନୀୟ ଘଟଣା ଥିଲା। ଶ୍ରୀ ପଟ୍ଟନାୟକ ୧୯୮୦ ମସିହା ଭଳି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରେ ବେଗୁନିଆ ଉପନିର୍ବାଚନରେ ବିଜୟ ହାସଲ କରିଥିଲେ।

ତେବେ, ଶ୍ରୀ ପଟ୍ଟନାୟକ ଏଥର ବି ପୂର୍ଣ୍ଣ ୫ ବର୍ଷ କ୍ଷମତାରେ ରହିପାରିନଥିଲେ। ୧୯୯୯ ମସିହା ଫେବ୍ରୁଆରି ୧୭ ତାରିଖ ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଫେବ୍ରୁଆରି ୧୮ ତାରିଖ ଦିନ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ, ଏହି ପଦରେ ଡିସେମ୍ବର ପର୍ଯ୍ୟନ୍ତ ରହି ତାଙ୍କୁ ବିଦାୟ ନେବାକୁ ପଡ଼ିଥିଲା। ୧୯୬୧ ମସିହା ଭଳି ଏଥର ମଧ୍ୟ ୩ ଜଣ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ହେମାନନ୍ଦ ବିଶ୍ବାଳ ଡିସେମ୍ବର ୬ ତାରିଖରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ।

ବିଧାନସଭାରେ ପ୍ରଥମେ କିଶୋର ପଟେଲ ଓ ଚିନ୍ତାମଣି ଦ୍ୟାନସାମନ୍ତରାୟ ପ୍ରଥମେ ସର୍ବସମ୍ମତ କ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବେ ଶପଥ ଗ୍ରହଣ କରିଥିଲେ। ପରେ ଶ୍ରୀ ଦ୍ୟାନସାମନ୍ତରାୟ ବାଚସ୍ପତି ଓ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜ ଉପମୁଖ୍ୟମନ୍ତ୍ରୀ ଭ‌ାବେ ପଦଭାର ସମ୍ଭାଳିଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୫ ବର୍ଷ ମଧ୍ୟରେ ୫ ଜଣ ବିରୋଧୀଦଳ ନେତା ଥିଲେ। ସେମାନେ ହେଲେ: ବିଜୁ ପଟ୍ଟନାୟକ, ଅଶୋକ ଦାସ, ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ ଓ ସଚ୍ଚିଦାନନ୍ଦ ଦଲାଲ।

ନିର୍ବାଚନ ଫଳାଫଳ ଏହିଭଳି:

ଏକାଦଶ ବିଧାନସଭା(୧୯୯୫-୦୦)

ଦଳ          ଆସନ    ଭୋଟହାର

କଂଗ୍ରେସ       ୮୦    ୩୯.୦୮%
ଜନତା ଦଳ    ୪୬    ୩୫.୭୩%
ବିଜେପି        ୦୯    ୭.୮୮%
ଜେଏମ୍‌ଏମ୍‌   ୦୪    ୧.୯୪%
ସିପିଆଇ      ୦୧    ୧.୭୧%
ଝାଡ଼ଖଣ୍ଡ ପିପୁଲ୍‌ସ ପାର୍ଟି ୦୧ ୦.୧୭%
ସ୍ବାଧୀନ        ୦୬   ୧୦.୫୧%

ଅନ୍ୟାନ୍ୟ       ୦୦   ୨.୯୮%

ମୋଟ        ୧୪୭    ୧୦୦%

ସମ୍ବନ୍ଧିତ ଖବର