ଗଣଶିକ୍ଷା ମନ୍ତ୍ରୀଙ୍କ ଗାଡ଼ିକୁ ପଥର ମାରିବା ଘଟଣାକୁ ନିରଞ୍ଜନଙ୍କ ନିନ୍ଦା

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ିକୁ ପଥର ମାରିବା ଓ କାଚ ଭାଙ୍ଗିବା ଘଟଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି। ଏକ ପ୍ରେସ୍‌ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରତିବାଦ କରିବା ଓ ଦାବି ପୂରଣ ପାଇଁ କୌଣସି ପ୍ରକାର ହିଂସାତ୍ମକ ରାସ୍ତାକୁ ଆପଣେଇବା ନୀତି ଓ ମାନସିକତା ନିନ୍ଦନୀୟ। ଅନ୍ୟ ପକ୍ଷରେ ସଂପୃକ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଓ ସ୍ଥାନୀୟ ପୁଲିସ୍‌ ପ୍ରଶାସନ ଦାୟୀ। ଶାସକ ଦଳର କିଛି ନେତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହନ ଯୋଗୁଁ ସ୍ଥାନୀୟ ପୁଲିସ୍‌ କିଛି ଅସାମାଜିକ ଯୁବକଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି। ଗତ ୬ ତାରିଖରେ ଘସିପୁରା ବସ୍‌ଷ୍ଟାଣ୍ଡ୍‌ରେ ଓ ଶୈଳଙ୍ଗ ଛକରେ ଯେଉଁ ଅଭାବନୀୟ ପରିସ୍ଥିତି ଉପୁଜିଲା ଓ ୭ ଜଣଙ୍କୁ ହାଣି କ୍ଷତାକ୍ତ କରାଗଲା, ଯେଉଁମାନେ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଉପରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଗାଡ଼ି ଉପରେ ଆକ୍ରମଣ ପରେ ମନ୍ତ୍ରୀ ଲୋକଙ୍କ ଘେରରେ ଦୀର୍ଘ ଦେଢ଼ ଘଣ୍ଟା ଧରି ଫସି ରହିଲେ। ଘଟଣା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ପୁଲିସ୍‌ ଥାନା। ଯଦି ରାଜ୍ୟର ଜଣେ ମନ୍ତ୍ରୀଙ୍କର ଏହି ପରିସ୍ଥିତି, ତେବେ ସାଧାରଣ ଲୋକଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଇବାରେ କେତେ ସମର୍ଥ ତାହା ଜଣାପଡ଼ୁଛି। ପୁଲିସ୍‌ର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ୍‌ ନିରପେକ୍ଷତା ଅବଲମ୍ବନ କରିବା ସହ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହାବସ୍ଥାନ ବଜାୟ ରଖିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର