ଓକିଲଙ୍କୁ ମାଡ଼ ଘଟଣା: ମାନବ ଅଧିକାର ଆୟୋଗରେ ଅଭିଯୋଗ

୨୭ରେ ଆସୁଛନ୍ତି ବିଜେପି ପ୍ରତିନିଧ ଦଳ, କୋର୍ଟରେ ଅଚଳାବସ୍ଥା ଜାରି, ତଥାପି ସରକାର ଚୁପ୍

ସମ୍ବଲପୁର: ‘ଗିରଫ ଓକିଲମାନଙ୍କ ସହିତ ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି। ଗିରଫ ହୋଇଥିବା ଓକିଲଙ୍କ ମଧ୍ୟରୁ ୧୧ ଜଣଙ୍କୁ ନୃଶଂସ ପିଟାଯାଇଛି।’ ସମ୍ବଲପୁର ଜେଲ୍‌ରେ ଥିବା ଆଇନଜୀବୀମାନଙ୍କୁ ଭେଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଓକିଲମାନଙ୍କର ଏକ ପ୍ରତିନିଧି ଦଳ କିଛିଦିନ ତଳେ ଏଭଳି ସଂଗିନ ଅଭିଯୋଗ ଆଣିଥିବା ବେଳେ ଏହାକୁ ନେଇ ଏବେ ମାନବ ଅଧିକାର ଆୟୋଗରେ ଅଭିଯୋଗ ହୋଇଛି।
ଗତ ୧୨ ତାରିଖ ଦିନର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାରେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ଆଇନଜୀବୀ ଗିରଫ କରାଯାଇଛି। ତେବେ, ଉକ୍ତ ଘଟଣାରେ ପୁଲିସ ଉଦ୍ଦେଶ୍ୟମୂଳକ ସଂପୃକ୍ତ ନଥିବା କେତେକ ଆଇନଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଆଇନଜୀବୀଙ୍କ ନିଷ୍ଠୁର ଭାବେ ମାଡ଼ପିଟ କରାଯାଇଛି। ସେମାନଙ୍କ ସହିତ ଅମାନବୀୟ ଆଚରଣ ପ୍ରଦର୍ଶନ କରାଯାଇଥିବା ନେଇ ଜାତୀୟ ମାନବ ଅଧକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ରେ ଅଭିଯୋଗ ହୋଇଛି।

ଆଇନଜୀବୀ ରଂଗେ ନାଥ ଷଡ଼ଗୀ ଏଭଳି ଅଭିଯୋଗ ଆଣିବା ସହିତ ଏକ ସ୍ବତନ୍ତ୍ର ଟିମ୍‌ ଦ୍ବାରା ଘଟଣାର ତଦନ୍ତ କରାଯିବା ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଷଡ଼ଂଗୀ ମାନବ ଅଧିକାର ଆୟୋଗଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷରେ ଆସନ୍ତା ୨୭ ତାରିଖ ଦିନ ବିଜେପିର ଏକ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଗିରଫ ଓକିଲ, ଓକିଲ ସଂଘର ପ୍ରତିନିଧି, ବିଭିନ୍ନ ନାଗରିକ ସଂଗଠନର କର୍ମକର୍ତ୍ତା, ସ୍ଥାନୀୟ କୋର୍ଟର ବିଚାରପତିଙ୍କ ସମେତ ଜିଲ୍ଲା ଓ ପୁଲିସ ପ୍ରଶାସନ ସହ ଆଲୋଚନା କରିବେ। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଂଗୀତା କୁମାରୀ ସିଂହଦେଓ ଓ ନିତେଶ ଗଙ୍ଗଦେବଙ୍କ ସହିତ ରାଜ୍ୟରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧଶୟକ ନାଉରୀ ନାୟକ, ଭବାନୀଶଙ୍କର ଭୋଇ, ସୁବାସ ପାଣିଗ୍ରାହୀ, ମୁକେଶ ମହାଲିଂଗ, ଶଙ୍କର ଓରାମ, କୁସୁମ ଟେଟେ ପ୍ରମୁଖ ୫ ସାଂସଦ ଓ ୭ ଜଣ ବିଧାୟକ ସାମିଲ ରହିଛନ୍ତି।

ଏହି ପ୍ରତିନିଧି ଦଳ ଗିରଫ ହୋଇ ଜେଲ୍‌ରେ ଥିବା ଓକିଲମାନଙ୍କୁ ମଧ୍ୟ ଭେଟିବେ। ଏଭଳି ପରିସ୍ଥିତିରେ ଏବେ ବି ମୁଖ୍ୟମନ୍ତ୍ରୀ ନିରବ ରହିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ ଏକ ପ୍ରେସ୍ ବିବୃତିରେ କହାଯାଇଛି। ଅପରପକ୍ଷରେ ଏହି ଘଟଣା ପରଠାରୁ ସମ୍ବଲପୁର ଓକିଲ ସଂଘର କୌଣସି ସଦସ୍ୟ ଏପର୍ଯ୍ୟନ୍ତ କୋର୍ଟକାର୍ଯ୍ୟରେ ଯୋଗ ଦେଇନାହାନ୍ତି। କୋର୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପଟେ ସମ୍ବଲପୁର ଓକିଲ ସଂଘର ମନୋବଳ ବଢ଼ାଇବା ପାଇଁ ପ୍ରତିଦିନ ବିଭିନ୍ନ ଜିଲ୍ଲାର ଓକିଲମାନେ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଆଶ୍ଚର୍ଯ୍ୟଜନକ ନିରବତା ଅବଳମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର