ରାଜଧାନୀରେ ଦାରିଦ୍ର୍ୟର କରୁଣ ଚିତ୍ର : ଶିଶୁପୁତ୍ରକୁ ବିକିଦେଲା ମା’

ରଙ୍ଗମାଟିଆରୁ ଶିଶୁ ଉଦ୍ଧାର, ବାପା ଓ ଦଲାଲ ଗିରଫ, ଆଶାକର୍ମୀ ଫେରାର୍

ଭୁବନେଶ୍ବର : ମାତ୍ର ୧୯ ଦିନର ଶିଶୁପୁତ୍ରକୁ ବିକି ଦେଇଛନ୍ତି ବାପା-ମା’। ମୂଲ ଲାଗି ସାତପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ଼ କରିପାରୁ ନଥିବା ଦମ୍ପତି ନିଜର ଜନ୍ମକଲା ପୁଅକୁ ବିକିବାକୁ ବାଧ୍ୟ ହୋଇଛନ୍ତି। କେଉଁ ଉପାନ୍ତ କି ଅପହଞ୍ଚ ଇଲାକା ନୁହେଁ, ଦାରିଦ୍ର୍ୟର ଏଭଳି କରୁଣ ଚିତ୍ର ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି। ଭରତପୁରର ଏକ ବସ୍ତିରେ ରହୁଥିବା ଗଞ୍ଜାମ ଅଞ୍ଚଳର ଏହି ଗରିବ ଦମ୍ପତି ସେମାନଙ୍କ ପଞ୍ଚମ ସନ୍ତାନକୁ ବିକି ଦେଇଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଚାଇଲ୍ଡ ଲାଇନ୍‌ରୁ ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଶିଶୁଟିକୁ ଠାବ କରିବାକୁ ଦିନତମାମ୍‌ ବୁଲି ବୁଲି ରାତି ୮ଟାବେଳେ ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆ ଅଞ୍ଚଳରୁ ଉଦ୍ଧାର କରିଛି। ଏହି ମାମଲାରେ ମଧ୍ୟସ୍ଥତା କରିଥିବା ଜଣେ ବୃଦ୍ଧା ଓ ପ୍ରଶାନ୍ତ କୁମାର ଗୋଚ୍ଛାୟତ ନାମକ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ଶିଶୁର ବାପା ଓ ପ୍ରଶାନ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ମୁଖ୍ୟ କାର୍ପଟଦାର ଆଶାକର୍ମୀ ଫେରାର୍ ହୋଇ ଯାଇଛନ୍ତି। ବାପା-ମା’ ମାତ୍ର ୧୦ ହଜାର ଟଙ୍କା ପାଇଥିବାବେଳେ ମଧ୍ୟସ୍ଥତା କରିଥିବା ଦଲାଲମାନେ ଏହି ଶିଶୁ ବିକ୍ରିରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ ଗୁରୁବାର ସକାଳେ ଭୁବନେଶ୍ବର ଚାଇଲ୍ଡ ଲାଇନ୍‌ ଶିଶୁ ବିକ୍ରି ଖବର ପାଇଥିଲା। ତେଣୁ ଚାଇଲ୍ଡ ଲାଇନ୍‌ର ସଦସ୍ୟା ହରପ୍ରିୟା ପତି ଓ ସଂଗ୍ରାମ କେଶରୀ ରାଉତରାୟ ଉକ୍ତ ବସ୍ତିରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଛାନ୍‌ଭିନ୍ ଆରମ୍ଭ କରିଥିଲେ। ପ୍ରଥମେ ଶିଶୁ ବିକ୍ରି କଥାକୁ ବାପା-ମା’ ଅସ୍ବୀକାର କରିବା ସହ ପିଲାଟିକୁ ମଣିଷ କରିବା ପାଇଁ ମାନସ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଜଣେ ଧନୀ ବ୍ୟକ୍ତିଙ୍କୁ ବିନା ଟଙ୍କାରେ ଦେଇଥିବା କହିଥିଲେ। ମାତ୍ର କାହାକୁ ଦେଇଛନ୍ତି ବୋଲି ପ୍ରକୃତ ଠିକଣା କହିନଥିଲେ। ଖଣ୍ଡଗିରି ଥାନା ପୁଲିସ ଉକ୍ତ ଦମ୍ପତିଙ୍କୁ ଥାନାକୁ ନେବା ପରେ ସେମାନଙ୍କଠାରୁ କଥା ଆଦାୟ କରି ଏହି କାରବାରରେ ମଧ୍ୟସ୍ଥତା କରିଥିବା ଜଣେ ବୃଦ୍ଧାଙ୍କୁ ଉଠାଇଥିଲା। ମାତ୍ର ପୁଲିସ ଚଢ଼ଉ ବାବଦରେ ଜାଣି ପାରି ଆଶାକର୍ମୀ ଓ ଦଲାଲ ମାନସ ଫେରାର୍ ହୋଇ ଯାଇଥିଲେ। ପୁଲିସ ଶିଶୁର ବାପାକୁ ଧରି ଭରତପୁର ଓ ଜିଏ କଲୋନି ଆଦି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆରୁ ମାନସକୁ ଧରିବା ସହ ତା’ ନିକଟରୁ ଶିଶୁକୁ ଉଦ୍ଧାର କରିଛି। ମାତ୍ର ଉକ୍ତ ବ୍ୟକ୍ତି ମାନସ ନୁହେଁ ବରଂ ପ୍ରଶାନ୍ତ ବୋଲି ପୁଲିସ କହିଛି। ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ତା’ର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହ ଚାଇଲ୍ଡ ଲାଇନ୍‌ ଯତ୍ନରେ ଛଡ଼ା ଯାଇଛି।

ଶିଶୁର ମା’ ପୁଲିସକୁ ଦେଇଥିବା ବୟାନ ଅନୁସାରେ ପୂର୍ବରୁ ସେମାନଙ୍କର ଚାରିଟି ପୁଅ ଅଛନ୍ତି। ପୁଣି ୫ମ ସନ୍ତାଟି ମଧ୍ୟ ପୁଅ ହୋଇଥିଲା। ତେଣୁ ଏତେ ପିଲାଙ୍କୁ ମୂଲମଜୁରୀରୁ ଚଳାଇବା କଷ୍ଟ ହେଉଥିଲା। ସେ ନିଜେ ରୋଗୀଣା ହୋଇଥିବାରୁ କେବଳ ସ୍ବାମୀଙ୍କ ରୋଜଗାରରେ ପରିବାର ନିର୍ଭର କରୁଥିଲା। ତେଣୁ ଧନୀ ଘରେ ପିଲାଟି ଭଲରେ ବଢ଼ିବ ବୋଲି ସେ ଦେଇ ଦେଇଥିଲେ। ଭବିଷ୍ୟତର ନିରପତ୍ତା ଦୃଷ୍ଟିରୁ କୋର୍ଟ ପେପରରେ ଚୁକ୍ତି କରିଥିବା କହିଥିଲେ। କେବଳ ହାତ ଖର୍ଚ୍ଚ ପାଇଁ ତାଙ୍କୁ ମାତ୍ର ୧୦ ହଜାର ଟଙ୍କା ଦିଆଯାଇଛି ବୋଲି ମାନିଥିଲେ। କିନ୍ତୁ ପ୍ରକୃତରେ ପିଲାକୁ କିଣିଥିବା ଧନୀ ବ୍ୟକ୍ତି କିଏ ତାହା ସ୍ପଷ୍ଟ ହୋଇନାହିଁ। ପ୍ରଶାନ୍ତ ପିଲାଟିକୁ ନିଜେ ରଖିଥିଲା କି କିଣିଥିବା ଧନୀ ବ୍ୟକ୍ତି ଜଣକ ପୁଲିସ ଚଢ଼ଉ ବାବଦରେ ଜାଣି ପାରି ଶିଶୁଟିକୁ ପ୍ରଶାନ୍ତକୁ ଫେରାଇ ଦେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଏହି ଶିଶୁ ବିକ୍ରି କାରବାରରେ ଦେଢ଼ ଲକ୍ଷ ଟଙ୍କା ଡିଲ୍ ହୋଇଥିବା ନେଇ ଚାଇଲ୍ଡ ଲାଇନ୍‌ରେ ଅଭିଯୋଗ ହୋଇଥିଲା। ତେଣୁ ବାପା-ମା’ ଯଦି ମାତ୍ର ୧୦ ହଜାର ଟଙ୍କା ପାଇଛନ୍ତି, ବାକି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗରିବ ବାପା-ମା’ଙ୍କ ସରଳତାର ସୁଯୋଗ ନେଇ ଦଲାଲମାନେ ଅବଶିଷ୍ଟ ଟଙ୍କା ହଡ଼ପ କରିଥିବା ସନ୍ଦେହ କରାଯାଉଛି। ତେଣୁ ପ୍ରକୃତ ତଦନ୍ତ ହେଲେ ଏହି ମାମଲାରେ ଦଲାଲି କରୁଥିବା ଏକ ରୢାକେଟ୍‌ ଉପରୁ ପର୍ଦା ହଟିପାରିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର