ବଡ଼ଗାଁ ବନାଞ୍ଚଳ ଅଧିକାରୀ ଦିଲୀପ ଦିଗାଲ ବହିଷ୍କୃତ

ଫୁଲବାଣୀ ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଥିଲା

ସୁନ୍ଦରଗଡ଼/ବଡ଼ଗାଁ:  ସୁନ୍ଦରଗଡ଼ ବନଖଣ୍ଡର ବଡ଼ଗାଁ ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ଦିଗାଲଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି। ଆୟ ବହର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଧିକାରୀ ଶ୍ରୀ ଦିଗାଲଙ୍କୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଶୁଣାଇଥିବା ବେଳେ ଏହାକୁ ଭିତ୍ତି କରି ସରକାର ରାୟ ପ୍ରକାଶର ୩ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ୨୦୨୨ ଜୁନ ୩୦ରେ ରାୟ ପ୍ରକାଶ ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଶ୍ରୀ ଦିଗାଲ କିପରି ଚାକିରିରେ ରହିଥିଲେ, ତାକୁ ନେଇ ବୈଧାନିକ ପ୍ରଶ୍ନ ଉଠାଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ସୂଚନା ଥାଉକି,  ୨୦୧୧ରେ ବୌଦ୍ଧ ବନଖଣ୍ଡ ପୁରୁଣାକଟକ ବନାଞ୍ଚଳ ଦାୟିତ୍ବରେ ଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧିକାରୀ ଶ୍ରୀ ଦିଗାଲଙ୍କ ଘରେ  ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ଉ ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ  ବେକ୍ରା ଗାଁରେ ତାଙ୍କ ନିଜ ଘର, ଫୁଲବାଣୀ କବରଖାନା ସାହିରେ ଏକ ବିଶାଳ ଦ୍ବିତଳ ପ୍ରାସାଦ, ଭୁବନେଶ୍ବର ନୀଳାଦ୍ରିବିହାରରେ ଏକ ୩ ମହଲା କୋଠା ଥିବା ଭିଜିଲାନ୍ସ ଠାବ କରିଥିଲା।  ଆୟ ଠାରୁ ୪୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଏ ନେଇ ୨୦୧୧ ସେପ୍ଟେମ୍ବର ୨୩ରେ ଭିଜିଲାନ୍ସ ଅଧିକାରୀ ଦିଲୀପ ଓ ତାଙ୍କ ପତ୍ନୀ ସୁଜାତା ନାଏକଙ୍କ ନାମରେ ମାମଲା ରୁଜୁ କରିଥିଲା।

ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ୪୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଧିକାରୀ ଶ୍ରୀ ଦିଗାଲ ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ଜରିମାନା ଆଦେଶ କରିଥିଲେ। ନିୟମ ଅନୁସାରେ, ସରକାରୀ କର୍ମଚାରୀ କୌଣସି ଅପରାଧିକ ମାମଲାରେ ଗିରଫ ହେଲେ କିମ୍ବା ଦଣ୍ଡିତ ହେଲେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ତୁରନ୍ତ ନିଲମ୍ବିତ ବା ବହିଷ୍କାର କରାଯିବା କଥା।  କିନ୍ତୁ ଶ୍ରୀ ଦିଗାଲ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ପାଇବା ପରେ ମଧ୍ୟ  ବନବିଭାଗ ତୁରନ୍ତ ତାଙ୍କୁ କାର୍ଯ୍ୟରୁ ଅନ୍ତର  ନକରିବା ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର