ଆରମ୍ଭ ହେଲା ବାଗ୍‌ଚୀ-କରୁଣାଶ୍ରୟ ବହିର୍ବିଭାଗ ସେବା

ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ନେଇ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା
ହସ୍ପିଟାଲ ଶଯ୍ୟା ସଂଖ୍ୟା ୭୫୦କୁ ବୃଦ୍ଧି

ଭୁବନେଶ୍ବର : ଇନ୍‌ଫୋଭ୍ୟାଲି-୨ରେ ବାଗ୍‌ଚୀ-କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଜାରି ରହିଛି। ହେଲେ ଏହାର ଅବ୍ୟବହିତ ପୂର୍ବରୁ ସଂସ୍ଥା ଗଣ୍ଡମୁଣ୍ଡାଠାରେ ଏହାର ଅସ୍ଥାୟୀ ସେବା ଆରମ୍ଭ କରିସାରିଲେଣି। ସେଠାରେ ଏବେ ବହିର୍ବିଭାଗ(ଓପିଡି) ଚିକିତ୍ସା ଆରମ୍ଭ ହୋଇଛି। ଗୁରୁତର ପୀଡ଼ିତ ରୋଗୀଙ୍କ ଘରକୁ ଯାଇ ଚିକିତ୍ସା ସେବା ଯୋଗାଇବା ଲାଗି ଏହି କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ଆବଶ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଗାଡ଼ି ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଚଳିତମାସରୁ ପ୍ରତି ସପ୍ତାହରେ ଶୁକ୍ରବାର ଦିନ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଉଥିବା ସରକାରୀ ସୂଚନା ମିଳିଛି।

ଇତିମଧ୍ୟରେ ୧୨୮ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି। ଏହାସହ ୩୬ଜଣ ରୋଗୀଙ୍କୁ ବହିର୍ବିଭାଗ ରେଫରାଲ କେସ୍‌ଭାବେ ଚିକିତ୍ସା ଦିଆଯାଇଛି। ସେହିପରି କର୍କଟ ରୋଗରେ ପ୍ରାଣ ହରାଇଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଜରିଆରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ବୟ କରାଯାଇଛି।

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କ୍ଷେତ୍ର ପରିଦର୍ଶନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ପୂର୍ବରୁ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୫ଶହ ରଖାଯାଇଥିବା ବେଳେ ଏବେ ଏହାକୁ ୭୫୦ଶଯ୍ୟାକୁ ବୃଦ୍ଧି କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହସ୍ପିଟାଲ ଚାରିପାଖରେ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରାକୃତିକ ଖାଲୁଆ ଜାଗାକୁ ଏକ ପୁଷ୍କରିଣୀ ଭାବେ ବିକଶିତ କରିବା ଲାଗି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଆସନ୍ତାବର୍ଷ ରଥଯାତ୍ରା ସୁଦ୍ଧା ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବା ସହିତ ରୋଗୀ ସେବା ଆରମ୍ଭ ହେବ। ପରେ ଶ୍ରୀ ମହାପାତ୍ର ବାଗ୍‌ଚୀ-କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ରର ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ। ଆସନ୍ତାବର୍ଷ ଜୁଲାଇ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ଏହାକୁ ବିକଶିତ କରାଯାଉଛି। ଶିକ୍ଷା ଓ ଗବେଷଣା ପାଇଁ ଏଥିରେ ୫ଶହ ଶଯ୍ୟା ବିଶିଷ୍ଟ ଅଡିଟୋରିୟମ୍‌ ବ୍ୟବସ୍ଥା କରାଯିବ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ତଥା ହସ୍ପିଟାଲର କର୍ଣ୍ଣଧାର ସୁବ୍ରତ ବାଗ୍‌ଚୀ, ହସ୍ପିଟାଲର ମୁଖ୍ୟ ଆର୍କିଟକ୍ ସୁନ୍ଦର ରମନ, କରୁଣାଶ୍ରୟର ମୁଖ୍ୟ ଆର୍କିକଟକ ଏନ୍‌.ମେଡାପ୍ପା, କରୁଣାଶ୍ରୟ ପରିଚାଳକ ଜ୍ଞାନରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର