ଆଠଗଡ : ପୁଣି କୂଅରୁ ମିଳିଲା ବଜ୍ରକାପ୍ତା

ପୂର୍ବରୁ ଟିଏମ୍‌ସିରୁ ବି ମିଳିଥିଲା, ଆଠଗଡ଼ରେ ର‍୍ୟାକେଟ୍‌ ସକ୍ରିୟ

କଟକ/ଆଠଗଡ : କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ର ରାସ୍ତାଘାଟରେ ବୁଲୁଛନ୍ତି ବଜ୍ରକାପ୍ତା। କେତେବେଳେ ପ୍ରବାସୀ ରହୁଥିବା ଟିଏମ୍‌ସି ଭିତରକୁ ପଶିଯାଉଛି ତ ଆଉ କେତେବେଳେ କାହା ବାଡ଼ିରୁ ମିଳୁଛି। ଆଜି ଏକ କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର ହେବା ପରେ ସମଗ୍ର ଆଠଗଡ଼ ଅଞ୍ଚଳରେ ହଟଚମଟ ଖେଳିଯାଇଛି। ଗିରଫ ଭୟରେ କେହି ଚାଲାଣକାରୀ ଏହି ବଜ୍ରକାପ୍ତାକୁ କୂଅ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ତେବେ, ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।

ଆଠଗଡ଼ ବ୍ଳକ୍‌ ଅନ୍ତର୍ଗତ ସମସରପୁର ପଂଚାୟତ ବୁଦ୍ଧିଆପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କର କୂଅ ଭିତରୁ ଏହି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଆଜି ସକାଳେ କୂଅ ଭିତରେ ବଜ୍ରକାପ୍ତା ପଡ଼ଥିବା ଖବର ଗ୍ରାମବାସୀଙ୍କଠାରୁ ପାଇ ଆଠଗଡ଼ ସଦର ଫରେଷ୍ଟ ରେଞ୍ଜ୍‌ ଅଫିସର ଆୟଶା ଅଖତରୀ ନିଶା ବନବିଭାଗ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ବଜ୍ରକାପ୍ତାକୁ ଉଦ୍ଧାର କରି ଆଠଗଡ଼ ରେଞ୍ଜ୍‌ କାର୍ଯ୍ୟାଳୟକୁ ଆଣିଥିଲେ। ମିଳିଥିବା ବଜ୍ରକାପ୍ତାର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ କହିଛି। କେହି ଚାଲାଣକାରୀ ଆଜିର ବଜ୍ରକାପ୍ତାକୁ କୂଅ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଏହାର ଲିଙ୍କ୍‌ ରେଢାଖୋଲ ସହିତ ଥିବା ସୂଚନା ମିଳିଛି। କାରଣ ଗତମାସରେ ଟିଏମ୍‌ସିରୁ ଗୋଟିଏ ଓ ସ୍କୁଟିରେ ରେଢାଖୋଲରୁ କଟକକୁ ଚାଲାଣ ହେଉଥିବା ୨ଟି ଜୀବନ୍ତ ବଜ୍ରକାପ୍ତା ବନବିଭାଗ ଜବତ୍‌ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା ଓ ରେଢାଖୋଲ ବନଖଣ୍ଡ ପକ୍ଷରୁ ୮ଜଣଙ୍କୁ ଗିରଫ କରାଯାଇଥିଲା। ଏହି ର‍୍ୟାକେଟ୍‌‌ ଏବେ ପୁଣି ଆଠଗଡ଼ର ତାର କାୟା‌ ମେଲାଇବାକୁ ଚେଷ୍ଟା କରି ବିଫଳ ହେଉଥିବାରୁ ବଜ୍ରକାପ୍ତାକୁ କୂଅ ଭିତରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି।

ଏ ସଂପର୍କରେ ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କୁ ଯୋଗାଯୋଗ କରାଯିବାରୁ ଜବତ‌ ବଜ୍ରକାପ୍ତା ପାଖରେ କୌଣସି ବନ୍ୟପ୍ରାଣୀ ଲକ୍ଷଣ ଦେଖାଯାଉନାହିଁ, ବରଂ କେଉଁଠି ପୋଷା ହୋଇରହିଥିବା ଭଳି ତା’ର ଆଚରଣ ଦେଖିବାକୁ ମିଳିଛି । ଏହା କେମିତି କୂଅ ଭିତରକୁ ଗଲା ତାର ଖୋଳତାଡ଼ ଆରମ୍ଭ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର