ପତ୍ରାପାଲି ଓ ଗୋଇମୁଣ୍ଡ ପେକ୍ସରୁ ଧାନ ଉଠାଣ ଦାବି, ବିଧାୟକଙ୍କ ଆମରଣ ଅନଶନ

ଧାନବସ୍ତା ରଖି ରାସ୍ତା ଅବରୋଧ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ଓ ଗୋଇମୁଣ୍ଡ ପେକ୍ସର ମଣ୍ଡିରୁ ତୁରନ୍ତ ଧାନ ଉଠାଣ ଦାବି କରି ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଆମରଣ ଅନଶନରେ ବସିଛନ୍ତି। ସେ‌ହିପରି ଚାଷୀମାନେ ମଧ୍ୟ ଧାନବସ୍ତା ରଖି ମୁରିବାହାଲ- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଯାନବାହନ ଅଟକି ରହିଛି। ରାତି ସାଢ଼େ ୮ଟାରେ ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ ଘଟଣାସ୍ଥଳରେ ପହଞ୍ଚି ମଣ୍ଡିରୁ ଧାନକିଣା ଆରମ୍ଭ କରିବା ପରେ ବିଧାୟକ ଶ୍ରୀ ସାଲୁଜା ଆମରଣ ଅନଶନ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ପତ୍ରାପାଲି(କ) ମଣ୍ଡିରେ ଟୋକନ ଆସିଥିବା ୧୧୦ଚାଷୀଙ୍କ ମଧ୍ୟରୁ ୧୭ଜଣଙ୍କ ଟୋକନ ବାତିଲ ହୋଇଛି ଏବଂ ୨୭୬୧କ୍ୱିଣ୍ଟାଲ ଟାର୍ଗେଟ ବାକି ଅଛି। ସେହିପରି ଗୋଇମୁଣ୍ଡ ପେକ୍ସରେ ୮୯ଜଣଙ୍କ ଚାଷୀଙ୍କ ମଧ୍ୟରୁ ୧୨ଜଣଙ୍କ ଟୋକନ ବାତିଲ ହୋଇଛି ଏବଂ ୨୭୧୯ କ୍ୱିଣ୍ଟାଲ ଧାନ ଟାର୍ଗେଟ ବାକିଥିବା ଜଣାପଡ଼ିଛି। ତେଣୁ ଉଭୟ ପେକ୍ସର ୧୯୯ଚାଷୀଙ୍କ ବାକିଥିବା ଟାର୍ଗେଟ ସମ୍ପୂର୍ଣ୍ଣ କରି ଆହୁରି ୫୫୦୦କ୍ୱିଣ୍ଟାଲ ଧାନ ଶୀଘ୍ର ଉଠାଇବା ପାଇଁ ଟାର୍ଗେଟ ଦେବାକୁ ବିଧାୟକ ଦାବି କରିଛନ୍ତି। ଏହି ଦୁଇ ପେକ୍ସର ଚାଷୀଙ୍କ ସମ୍ପୂର୍ଣ୍ଣ ଧାନ ନଉଠାଇଲେ ମଣ୍ଡି ସମ୍ମୁଖରେ ଆମରଣ ଅନଶନ ଜାରି ରହିବ ଏବଂ ଆଗାମୀ ବିଧାନସଭା ଅଧିବେଶନରେ ଜୋରଦାର ଚର୍ଚ୍ଚା ହେବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। ବିଧାୟକଙ୍କ ସହ ଧାରଣାରେ ଜିଲ୍ଲା ପରିଷଦ ସଭ୍ୟ ବେଳାରସେନ ବେହେରା, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାର, କିଷାନ ସେଲ ସଭାପତି ଗିରିଧାରି ସାହୁ, ଜିତେନ୍ଦ୍ର ହାତୀ, ଭୋଲା ବେହେରା, ଉପାଧ୍ୟକ୍ଷ ମାମରାଜ ଜୈନ, ହଳଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ ଯୋଶୀ, ସରପଞ୍ଚ ଉପେନ୍ଦ୍ର ମେହେର, ସମିତି ସଭ୍ୟ ଅନିଲ ଜୈନ, ମୁନା ବହିଦାର, ଜୟଶଙ୍କର ସାହୁ, ନେପାଳ ମହାକୁରଙ୍କ ସହ ଶତାଧିକ କଂଗ୍ରେସର କର୍ମକର୍ତ୍ତା ଓ ଦୁଇ ପେକ୍ସର ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର