ଆହତ ଡ୍ରାଇଭରଙ୍କ ମୃତ୍ୟୁ : ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଏତଲା

ବରଗଡ଼ : ଗୁରୁବାର ମଧ୍ୟରାତ୍ରିରେ ସୋହେଲା ଥାନା ବନାବିରା ଗାଁରେ ହୋଇଥିବା ଗୁଳିମାଡ଼ ଓ ଆକ୍ରମଣରେ ଆହତ ଡ୍ରାଇଭର ମାଗି ସାହୁଙ୍କ ଗତକାଲି ରାତିରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢ଼ିଥିବା ବେଳେ ରାଜ୍ୟ ସରକାର ବି ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାପରେ ପୁଲିସ ଘଟଣାର ତନାଘନା ଚଳାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ୫ ଜଣଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ପୁଲିସ ସିଧାସଳଖ ତାଙ୍କ ନାମ ନେଉନଥିଲେ ବି ଜଣେ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଏତଲା ହୋଇଥିବା କହିଛି।

ମାଗି ସାହୁଙ୍କ ମୃତ୍ୟୁ ପରେ ପୁଲିସ୍‌ ହତ୍ୟା ମାମଲା ( ଦଫା ୩୦୨) ଯୋଡ଼ିଛି। ପୂର୍ବରୁ ଏହି ଘଟଣାକୁ ନେଇ ଥାନା କେଶ ନମ୍ବର ୩୪/୧୮ରେ ଆଇପିସିର ଧାରା ୧୪୭/୧୪୮/୩୪୧/୨୯୪/୩୨୩/ ୩୩୬/୪୨୭/୩୦୭/୫୦୬/୧୪୯ ତଥା ୨୫/୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିଲା।

ଆକ୍ରମଣ ମାମଲାରେ ବିମଳ ଭୋଇ ନାମକ ବ୍ୟକ୍ତି ସୋହେଲା ଥାନାରେ ଏକ ଏତଲା ଦେଇଛନ୍ତି। ଏଥିରେ ୫ଜଣଙ୍କ ନାମ ରହିଛି। ଜୟନାରାୟଣ ମିଶ୍ରଙ୍କ ନାମ ମଧ୍ୟ ଏଥିରେ ରହିଛି। ହେଲେ ପୁଲିସ୍‌ ସୂଚନା ଦେଲା ବେଳେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମ ଏଫ୍‌ଆଇଆର୍‌ରେ ଥିବା କହୁଛି। ଅନ୍ୟ ୩ଜଣ ଅଭିଯୁକ୍ତ ସୋହେଲା ଅଂଚଳର ବାସୁଦେବ ନାଏକ ଓରଫ ବାବୁ, ଗୁଡ୍ଡୁ ଓରଫ ଦିଗବିଜୟ ଏବଂ ଜୟପ୍ରକାଶ ଅଗ୍ରଓ୍ଵାଲ ଗିରଫ ହୋଇସାରିଛନ୍ତି। ନିର୍ବାଚନ ପାଇଁ ଜୟନାରାୟଣ ଦଳୀୟ ପ୍ରସ୍ତୁତି ନେଇ ସିଧାସଳଖ ସଂପୃକ୍ତ ଥିଲେ। ନାମାଙ୍କନ ଦାଖଲ ଠାରୁ ଆରମ୍ଭ କରି ନିର୍ବାଚନୀ ସଭା, ରୋଡ୍‌ ସୋ’ରେ ତାଙ୍କୁ ଦେଖିବାକୁ ମିଳୁଥିଲା। ଏହି ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସାରିଛି। ଏହି ଘଟଣାରେ ୨୦ରୁ ଅଧିକ ବ୍ୟକ୍ତି ସଂପୃକ୍ତ ଥିବାରୁ ଗିରଫ ପାଇଁ ଦୁଇଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ପୁଲିସ୍‌ ସୂଚନା ଦେଇଛି। ଅନ୍ୟପକ୍ଷରେ ୧୭ଜଣ ସନ୍ଦିଗ୍ଧଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ।

ଇତିମଧ୍ୟରେ ଘଟଣାକୁ ନେଇ ସୋହେଲା ବ୍ଲକର କିଛି ଅଂଚଳରେ ଉତ୍ତେଜନା ଲାଗି ରହିଛି। ଆଗକୁ ଗୋଟିଏ ବଡ଼ ଧରରଣ ହିଂସାର ଆଶଂକା କରୁଛି ପୁଲିସ୍‌। ତେଣୁ ନିର୍ବାଚନ ସରିବା ପରେ ବ୍ୟାପକ ଫୋର୍ସ ମୁତୟନ କରିବାକୁ ପୁଲିସ୍‌ ଚିନ୍ତା କରୁଥିବା ଜଣାପଡ଼ିଛି। ଏନେଇ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବି ସରିଛି। ହେଲେ ଆନୁଷ୍ଠାନିକ ଭାବେ ଏନେଇ ପୁଲିସ୍‌ କିଛି ସୂଚନା ଦେଇନାହିଁ। ୨୮ ତାରିଖ ନିର୍ବାଚନ ଫଳାଫଳ ଘୋଷଣା ହେବ। ଏହା ପରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ଉତ୍ସବ। ପୂର୍ବ ଘଟଣାକୁ କେନ୍ଦ୍ର କରି ହୋଲି ଆଳରେ କିଛି ହିଂସା ଘଟିବା ମଧ୍ୟ ପୁଲିସ୍‌ ଆଶଂକା କରୁଛି। ତେଣୁ କିଛି ସମ୍ବେଦନଶୀଳ ଇଲାକାରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଫୋର୍ସ ୪/୫ ଦିନ ଅଧିକ ଫୋର୍ସ ରଖିବାକୁ ପୁଲିସ୍‌ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର