ପୁରୀ ଷ୍ଟେସନ୍‌ରେ ଗଡ଼ିଲା ବ୍ୟାଟେରି ଗାଡ଼ି

ବୃଦ୍ଧ, ଅସୁସ୍ଥ ଓ ଭିନ୍ନକ୍ଷମଙ୍କ ପାଇଁ ନାଲ୍‌କୋ ପକ୍ଷରୁ ମାଗଣା ସେବା

ପୁରୀ : ପୁରୀ ରେଳ ଷ୍ଟେସନ୍‌ରେ ବୃଦ୍ଧବୃଦ୍ଧା, ଅସୁସ୍ଥ ଓ ଭିନ୍ନକ୍ଷମଙ୍କ ପାଇଁ ଆଜିଠାରୁ ବ୍ୟାଟେରି ଚାଳିତ ମାଗଣା ଅଟୋସେବା ଆରମ୍ଭ ହୋଇଛି। ନାଲ୍‌କୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଓ ଖୋର୍ଧା ରୋଡ୍‌ ଡିଆର୍‌ଏମ୍‌ ବ୍ରଜମୋହନ ଅଗ୍ରୱାଲ୍‌ ଅତିଥି ଭାବେ ଯୋଗଦେଇ ଆଜି ସଂଧ୍ୟାରେ ପୁରୀ ରେଳ ଷ୍ଟେସନ୍‌ଠାରେ ନାଲ୍‌କୋର ସିଏସ୍‌ଆର୍‌ ଯୋଜନାରେ ଆରମ୍ଭ ହୋଇଥିବା ଏହି ମାଗଣା ଅଟୋ ସେବାକୁ ଶୁଭାରମ୍ଭ କରିଛନ୍ତି। ଏହି ଅଟୋ ରେଳ ଷ୍ଟେସନ୍‌ ପରିସରରେ ୨୪ ଘଣ୍ଟିଆ ସେବା ଯୋଗାଇବ। ରେଳ ଷ୍ଟେସନ୍‌ ମୁଖଦ୍ଵାରରେ ଏହା ସଦସର୍ବଦା ରହିବ। ବୃଦ୍ଧବୃଦ୍ଧା, ଅସୁସ୍ଥ ଅବା ଭିନ୍ନକ୍ଷମ ଯାତ୍ରୀଙ୍କୁ ଆବଶ୍ୟକ ମୁତାବକ ପ୍ଲାଟ୍‌ଫର୍ମରେ ନେଇ ଏହି ଅଟୋ ପହଞ୍ଚାଇଦେବ। ପ୍ରଥମ କରି ପୁରୀ ରେଳ ଷ୍ଟେସନ୍‌ରେ ଏଭଳିି ସେବାର ଶୁଭାରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨ଟି ବ୍ୟାଟେରି ଚାଳିତ ଅଟୋକୁ ଏହି ସେବାରେ ନିୟୋଜିତ କରାଯାଇଛି। ଗୋଟିଏ ଅଟୋରେ ବସିବା ପାଇଁ ୬ଟି ସିଟ୍‌ ଓ ଲଗେଜ୍‌ ରଖିବା ସ୍ଥାନ ରହିଛି। ଏହି ସେବା ପାଇବା ପାଇଁ ନିର୍ଦିଷ୍ଟ ଭାବେ ୯୪୩୯୪୪୧୮୭୦ ମୋବାଇଲ୍‌ ନମ୍ବର ଜାରି ହୋଇଛି, ଯାହା ସିଧାସଳଖ ଅଟୋ ସେବା ପାଇଁ ନିୟୋଜିତ ସୁପରଭାଇଜରଙ୍କ ନିକଟରେ ଲାଗିବ। ହିତାଧିକାରୀ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରି ଏହି ମାଗଣା ଅଟୋ ସେବା ପାଇପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଖୋର୍ଧା ରୋଡ୍‌ ଡିଭିଜନାଲ୍‌ କମର୍ସିଆଲ୍‌ ମ୍ୟାନେଜର ସମ୍ବିତ ସୌରଭ ନାୟକଙ୍କ ସମେତ ରେଳବାଇ ଓ ନାଲ୍‌କୋର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର