ସମ୍ପତ୍ତି ଲୋଭରେ ଭାଇବୋହୂକୁ ହତ୍ୟା ମାମଲା: ପରିବାରବର୍ଗଙ୍କୁ ଗିରଫ ଦାବି କରି ଥାନା ଘେରିଲେ ଗ୍ରାମବାସୀ

ସ୍ଥିତି ସମୀକ୍ଷା କଲେ ଏସ୍‌.ପି.

କୁକୁଡ଼ାଖଣ୍ଡି/ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ବିଧବା ଭାଇବୋହୂର ହତ୍ୟା ଘଟଣାକୁ ‌ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ବାତାବରଣ ଦେଖା ଦେଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦେଢ଼ଶୁର ପ୍ରଭାକର ବିଷୋୟୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପ୍ରଭାକରଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ଅଭିଯୋଗ କରି ଆଜି ବହୁ ଗ୍ରାମବାସୀ ବାଲିପଡ଼ାରେ ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ତଦନ୍ତରେ ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ।

ସୂଚନା ମୁତାବକ, ଗତ ୮ତାରିଖରେ ସଦର ଥାନା ବାଲିପଡ଼ା ଗ୍ରାମର ବିଧବା ସୁଷମା ବିଷୋୟୀ ନିକଟସ୍ଥ ଡେଙ୍ଗାପଦର ଗ୍ରାମର ଏକ ବିଲକୁ ଯାଇଥିଲେ। ଏହି ସମୟରେ ତାଙ୍କ ଦେଢ଼ଶୁର ପ୍ରଭାକର ଏକ ଠେଙ୍ଗାରେ ପିଟି ଭାଇବୋହୂ ସୁଷମାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ସମ୍ପତ୍ତି ଲୋଭରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ସେ ନେଇ ଗତକାଲି ସଦର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଦେଢ଼ଶୁର ପ୍ରଭାକରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟାକାଣ୍ଡ ପଛରେ ପ୍ରଭାକରଙ୍କ ପରିବାରବର୍ଗ ମଧ୍ୟ ସାମିଲ ଥିବା ନେଇ ବହୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏପରିକି ସେମାନଙ୍କୁ ଗିରଫ ଦାବିରେ ଆଜି ବହୁ ଗ୍ରାମବାସୀ ସଦର ଥାନା ଘେରାଉ କରିଥିଲେ। ପୁଲିସ ସମସ୍ତଙ୍କୁ ବୁଝାସୁଝା କରି ସେଠାରୁ ପଠାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମବାସୀ ବାଲିପଡ଼ା ମୁଖ୍ୟ ରାସ୍ତାରେ ଟାୟାର୍‌ ଜାଳି ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍‌ ହୋଇଯାଇଥିଲା।

ଖବର ପାଇ ବ୍ରହ୍ମପୁର ଏଏସପି ପ୍ରଭାତ ରାଉତରାୟ, ଏସଡିପିଓ ଜୟନ୍ତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କାମାଷା ପ୍ରସାଦ ପାତ୍ର, ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଇନ୍‌ସ୍ପେକ୍ଟର୍‌ ମହେନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ। ପରେ ପୁଲିସ ଲୋକଙ୍କ ସହିତ ଆଲୋଚନା କରି ଯାହା ବିରୋଧରେ ପ୍ରମାଣ ଆସିବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ମାମଲା ଶାନ୍ତ ପଡ଼ିଥିଲା।

ସେପଟେ ଦିନକୁ ଦିନ ସଦର ଥାନା ଇଲାକାରେ ଅପରାଧ ଘଟଣା ବୃଦ୍ଧି ପାଇଥିବାରୁ ଆଜି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ସଦର ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଏସ୍‌.ପି. ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌.ପି. ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର