ଭଦ୍ରକ: ଟ୍ରକ୍‌ ପଛରେ ଧକ୍କା ଖାଇଲା ତୀର୍ଥଯାତ୍ରୀ ବସ୍‌; ୨ ମୃତ; ୩ ଆହତ

ଭଦ୍ରକ: ଶନିବାର ବିଳମ୍ବିତ ରାତ୍ରୀରେ ଚରମ୍ପା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଏକ ବାଉଁଶ ବୋଝେଇ ଟ୍ରକ୍‌ ପଛରେ ଏକ ତୀର୍ଥଯାତ୍ରୀ ବସ୍‌ ଧକ୍କା ଖାଇବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶରୁ ଯାତ୍ରୀ ନେଇ ବସ୍‌ଟି ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ବାଉଁଶ ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା। ଏହାର ପ୍ରଭାବରେ ବସ୍‌ ଡ୍ରାଇଭର୍‌ ଏବଂ ଜଣେ ତୀର୍ଥଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ଯାତ୍ରୀଙ୍କ ନାମ ଶିବନାରାୟଣ ମିଶ୍ର ଓ ତାଙ୍କ ଘର ଉତ୍ତର ପ୍ରଦେଶର ରାମନଗର। ଡ୍ରାଇଭର୍‌ଙ୍କର ପରିଚୟ ମିଳି ପାରିନାହିଁ।
ଖବର ପାଇ ଭଦ୍ରକ ପୁଲିସ ଘଟନାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପଠାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।

ଦୁର୍ଘଟଣା ପ୍ରକୃତ କାରଣ ଜଣାପଡ଼ି ନାହିଁ।

ପରେ ସ୍ଥାନୀୟ ପ୍ରଶାସନ ଘଟନାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ପୁରୀ ପଠାଇବା ପାଇଁ ଗାଡ଼ିର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର