ଭଦ୍ରକ ସହରରେ ୨୬ ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା

ଶ୍ରୀରାମ ନବମୀ ପାଇଁ ୫୦ ପ୍ଲାଟୁନ ପୁଲିସ ମୁତୟନ, ୧୪୪ ଧାରା ଜାରି

ଭଦ୍ରକ: ଶ୍ରୀରାମ ନବମୀ ପାଇଁ  ପ୍ରସିଦ୍ଧ ଭଦ୍ରକ ସହର ଶନିବାର ଉତ୍ସବ ମୁଖର ହୋଇଥିବା ବେଳେ ଗତ ବର୍ଷର ଅଘଟଣକୁ ଆଖିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଭୁବନେଶ୍ୱରସ୍ଥିତ ପୁଲିସର ସାଇବର ସେଲରୁ ଆଇଆଇସି  ବି.ଆର୍‌. ସୁନ୍ଦର ରାଜ ଓ ଦୀପ୍ତି ରଂଜନ ମହାନ୍ତି ଭଦ୍ରକ ପହଞ୍ଚି ଇଣ୍ଟରନେଟ୍‌ ସେବା ଉପରେ ଅନୁଧ୍ୟାନ କରିଛନ୍ତି। ସହରରେ ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଏଥି ସହିତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ବୈଠକ ବସିଛି। ଏଥିରେ ପୂର୍ବତନ ଭଦ୍ରକ ଏସ୍‌ପି ଅନୁପ ସାହୁ ଓ ବର୍ତ୍ତମାନ ଏସ୍‌ପି ପି ଗଙ୍ଗାଧର ବାତୁଲା, ଉତ୍ତରାଞ୍ଚଳ ଆଇଜି ବିନୟତୋଷ ମିଶ୍ରଙ୍କ ସମେତ ରାଜ୍ୟର ବଛାବଛା ବରିଷ୍ଠ ଡିଏସ୍‌ପି, ଏସଡିପିଓ ଓ ଆଇଆଇସି ସାମିଲ ଥିଲେ।

ଭଦ୍ରକରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ଉପରେ ରୋକ୍‌ ଲଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏଥି ସହିତ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ସେ କହିଛନ୍ତି। ରବିବାର ଶ୍ରୀରାମ ନବମୀ ପାଇଁ ସହରରେ ୫୦ ପ୍ଲାଟୁନ ପୁଲିସ ଓ ୧୦୦ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ସେହିଭଳି ୧୪୪ ଧାରା ଜାରି ରହିଛି।

ଶ୍ରୀରାମ ନବମୀ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରବିବାର ଅପରାହ୍ନ ୩ଟାରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଏଥିରେ ସାଧୁ ଓ ସନ୍ଥମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୯୯୧ରୁ ଆରମ୍ଭ ହୋଇଥିବା ଶ୍ରୀରାମ ନବମୀ ମହୋତ୍ସବରେ ଶୁକ୍ରବାର କଳସ ଯାତ୍ରାରେ ୫୦୦୮ ଜଣ ମହିଳା ସାମିଲ ଥିଲେ। ଏହି ଯାତ୍ରାରେ ୧୦,୦୦୦ରୁ ଅଧିକ ରାମଭକ୍ତ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଷ୍ଣୁ ସେଠୀ, ଗୋବିନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର