ଓଡ଼ିଶାରେ ବନ୍ଦ ଶାନ୍ତିପୂର୍ଣ୍ଣ : ଗମନାଗମନ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ, ବନ୍ଦ ରହିଲା ବଜାର, ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ‘ଭାରତ ବନ୍ଦ’ ଆଜି ଶାନ୍ତିପୂର୍ଣ୍ଣ ରହିଛି। କୌଣସି ସ୍ଥାନରେ ପୋଡ଼ାଜଳା, ହିଂସାକାଣ୍ଡ ଅଭିଯୋଗ ଆସି ନାହିଁ। ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିଲା। ବସ୍, ଅଟୋ ଚଳାଚଳ ବନ୍ଦ ହେବା ସହ ଯାତ୍ରୀ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ‌େହାଇଥିଲା। ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଦୋକାନବଜାର ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରା‌ସ୍ତାଗୁଡ଼ିକରେ ଗାଡ଼ିମୋଟର ଚଳାଚଳ କରି ପାରି ନ ଥିଲା।

ଦେଶରେ ଦରଦାମ ବୃଦ୍ଧି, ବେକାର ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ପରି ୧୨ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ବିଭିନ୍ନ ସ୍ବାଧୀନ ସଂଗଠନ, ବ୍ୟାଙ୍କ ସଂଘ ଏହାକୁ ସମର୍ଥନ କରିଥିଲେ। ଓଡ଼ିଶାରେ ବନ୍ଦକୁ କଂଗ୍ରେସ ଦଳ ସମର୍ଥନ କରିଥିଲା। ବନ୍ଦକୁ ସମର୍ଥନ କରିବା ପାଇଁ ଶ୍ରମିକ ସଂଗଠନଗୁଡ଼ିକ ବିଜେଡିକୁ ଅନୁରୋଧ କରିଥିଲେ ବି ବିଜେଡି ନୀରବ ରହିଥିଲା।

ବିଭିନ୍ନ ଶ୍ରମିକ ସଂଗଠନର ରାଜ୍ୟସ୍ତରୀୟ ନେତୃବୃନ୍ଦ ରାଜଧାନୀରେ ସକାଳୁ ସକାଳୁ ପିକେଟିଂ କରିଥିଲେ। ସହରର ପ୍ରମୁଖ ସ୍ଥାନରେ ଶୋଭାଯାତ୍ରା ବାହାରିଥିଲା। ଭୁବନେଶ୍ବର ଷ୍ଟେସନ୍‌ରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରେଳ ଅଟକାଇଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯେହେତୁ ଦୋକାନବଜାର ସ୍ବତଃପ୍ରବୃତ୍ତ ବନ୍ଦ ହୋଇଯାଇଥିଲା, ତେଣୁ ରାସ୍ତାଘାଟ ଶୂନ୍‌ଶାନ୍ ଥିଲା। ଚାରି ଚକିଆ ଯାନ କାଁ ଭାଁ ଦେଖିବାକୁ ମିଳୁଥିଲା। ବନ୍ଦ ପାଳନକାରୀମାନେ ମଧ୍ୟ ସେମାନଙ୍କୁ ଅଟକାଇ ଫେରାଇ ଦେଉଥିଲେ। ତେବେ ଦୁଇ ଚକିଆ ଯାନ ଚଳାଚଳ ସ୍ବାଭାବିକ ଥିଲା। ପେଟ୍ରୋଲ ଟାଙ୍କିଗୁଡ଼ିକ ବନ୍ଦ ରହିଥିଲା। ଅଧିକାଂଶ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିଲା। ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଯଦିଓ ସ୍କୁଲ୍‌, କଲେଜ ବନ୍ଦ ନେଇ ସରକାର କୌଣସି ବିଜ୍ଞପ୍ତି ଜାରି କରି ନ ଥିଲେ ତେବେ କିଛି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକାରମୂଳକ ପଦକ୍ଷେପ ଭାବେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା। ଅଘଟଣା ଆଶଙ୍କାରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିଜ ଆଡ଼ୁ ଅନୁଷ୍ଠାନ ବନ୍ଦ ରଖିଥିଲେ। ଅପରାହ୍ନ ୩ଟା ପରେ ଜନଜୀବନ ସ୍ବାଭାବିକ ହୋଇଥିଲା।

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସିପିଆଇ ଓ ଏଆଇଟିୟୁସି ପକ୍ଷରୁ ପିକେଟିଂ କରାଯାଇଥିଲା। ସକାଳୁ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଜିଲ୍ଲା ସମ୍ପାଦକ ସୁର ଜେନା ଓ ବିଜୟ ଜେନାଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରୁ ଶୋଭାଯାତ୍ରାରେ ବାହାରି ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ସହରର ପ୍ରମୁଖ ଛକ, ରେଳକୁଞ୍ଜ, ଏସ୍‌ବିଆଇ ସାମ୍ନାରେ ପିକେଟିଂ କରାଯାଇଥିଲା।

ଏଆଇସିସିଟିୟୁ ପକ୍ଷରୁ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ, ସିପିଆଇ(ଏମ୍‌ଏଲ୍‌) ଲିବରେସନ୍‌ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ନେତୃତ୍ବରେ କର୍ମୀମାନେ ଷ୍ଟେସନ୍, ରିଜର୍ଭ ବ୍ୟାଙ୍କ, ଅନ୍ୟ ବ୍ୟାଙ୍କ ସାମ୍ନାରେ ପିକେଟିଂ କରି ବନ୍ଦ କରିଥିଲେ। ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌), ଏସ୍‌ୟୁସିଆଇ, ଟିୟୁସିଆଇ ଓ ସିଟୁ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ସମର୍ଥନରେ ଛାତ୍ର ସଂଗଠନ ଏଆଇଡିଏସ୍‌ଓ ପକ୍ଷରୁ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକଙ୍କ ନେତୃତ୍ବରେ ଏବଂ ଏଆଇଏସ୍‌ଏଫ୍‌ ପକ୍ଷରୁ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଓ କୈଳାସ ପୁହାଣଙ୍କ ନେତୃତ୍ବରେ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇଥିଲା।

ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବନ୍ଦକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ବରରେ ବନ୍ଦରେ ସାମିଲ ହେବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ, ଉମାବଲ୍ଲଭ ରଥ, ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକଙ୍କ ସମେତ ଶତାଧିକ ଯୁବ, ଛାତ୍ର, ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। କଂଗ୍ରେସ ନେତା ଓ କର୍ମୀମାନେ ମାଷ୍ଟର୍‌ କ୍ୟାଣ୍ଟିନ୍, ସିଆର୍‌ପି ଛକ, ଜୟଦେବ ବିହାର ଛକ, ବିମାନବନ୍ଦର ଛକ, ବାଣୀବିହାର ଓ କଳ୍ପନା ଛକରେ ପିକେଟିଂ କରି ମୋଦୀ ସରକାରକୁ ସମାଲୋଚନା କରିଥିଲେ।

ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆଜି ଯଥାରୀତି ଚାଲିଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧିକାଂଶ କାର୍ଯ୍ୟାଳୟରେ କର୍ମଚାରୀମାନେ ସକାଳ ସାଢ଼େ ୯ଟା ପୂର୍ବରୁ ପହଞ୍ଚିଥିଲେ। ଲୋକସେବା ଭବନ, ଖାରବେଳ ଭବନ କରି ପ୍ରମୁଖ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିଛି ମନ୍ତ୍ରୀ ମୋଟର୍‌ ସାଇକେଲ୍‌ରେ ଲୋକସେବା ଭବନ ଆସୁଥିବା ଦେଖାଯାଇଥିଲା। ମଧ୍ୟାହ୍ନରେ ବନ୍ଦ ପାଳନ କରୁଥିବା ବିଭିନ୍ନ ଦଳର ନେତାମାନେ ଏକାଠି ହୋଇ ଲୋକସେବା ଭବନ ଆଡ଼କୁ ଅଗ୍ରସର ହେଲା ବେଳେ ଲୋୟର ପିଏମ୍‌ଜିରେ ପୁଲିସ୍‌ ସେମାନେ ଗିରଫ କରି ନେଇଥିଲା।

ବନ୍ଦ ପାଇଁ ଆଜି ପୂର୍ବ ନିର୍ଦ୍ଧାରିତ ବିଭିନ୍ନ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ତେବେ ୭ଟି ସହରରେ ‘ଜେଇଇ ମେନ୍-୧’ ପରୀକ୍ଷା ହୋଇଥିଲା। ଏଥିରେ ଭାଗ ନେଇଥିବା ପ୍ରାୟ ୧୦ ହଜାର ପରୀକ୍ଷାର୍ଥୀ ଅସୁବିଧା ଭୋଗିଥିଲେ। ବହୁ ପରୀକ୍ଷାର୍ଥୀ ଗତକାଲି ରାତି ଠାରୁ ପରୀକ୍ଷା କେନ୍ଦ୍ର ନିକଟକୁ ଯାଇ ଡେରା ପକାଇଥିବା ଦେଖିବାକୁ ମିଳିଥିଲା। ଆଜି ବସ୍, ଅଟୋ ବନ୍ଦ ଥିବାରୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ବହୁ ସମସ୍ୟା ଭୋଗିଥିଲେ।

ସମ୍ବନ୍ଧିତ ଖବର