ଭରତପୁର କୋଇଲା ଖଣି ଦୁର୍ଘଟଣା: ମିଳିଲା ଚତୁର୍ଥ ନିଖୋଜଙ୍କ ମୃତଦେହ

ତାଳଚେର : ତାଳଚେର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖରେ ମାଟି ଧସି ୪ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପୂର୍ବରୁ ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଶବ ଉଦ୍ଧାର ହୋଇଛି। ଶବଟି ପଚିଶଢ଼ି ନଷ୍ଟ ହୋଇ ଯାଇଥିଲେ ହେଁ ବିଭିନ୍ନ ପାରିପାର୍ଶ୍ବିକ ସ୍ଥିତିରୁ ଏହା ନିଖୋଜ ଠିକା କର୍ମଚାରୀ ତାଳଚେର ବ୍ଲକ ଲକେଇପଶି ଗ୍ରାମର ରମେଶ ଦାସଙ୍କର ବୋଲି ଏମସିଏଲ୍ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି।

ମୃତ ରମେଶ ଏକ ଘରୋଇ କଂପାନିରେ ସୁରକ୍ଷା ଗାର୍ଡ ଭାବେ କୋଇଲା ଖଣିରେ କାର୍ଯ୍ୟ କରୁଥିଲେ। ଘଟଣା ଦିନ ଦୁର୍ଘଟଣାସ୍ଥଳ ନିକଟରେ ସେ ଡ୍ୟୁଟି କରୁଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଶବ ଜବତ କରି ମଣ୍ଡାପାଳ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ମରଶରୀରକୁ ଡାକ୍ତରଖାନା ଶବଗୃହରେ ରଖାଯାଇଛି। ଅନ୍ୟପକ୍ଷରେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ତଥା ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବାରୁ ଏମସିଏଲ୍ ତାଳଚେର କ୍ଷେତ୍ର ଅଂଚଳରେ ଥିବା ସମସ୍ତ ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ ସଂପୂର୍ଣ୍ଣ ଠପ୍ ହୋଇ ରହିଛି। ଆଜି ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏମସିଏଲ୍ କ୍ଷେତ୍ର ପ୍ରବନ୍ଧକଙ୍କ ଉପସ୍ଥିତିରେ ଏକ ସମାଧାନୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଆନ୍ଦୋଳନକାରୀ ଜିଦ୍‌ରେ ଅଟଳ ରହିବା କାରଣରୁ ବୈଠକ ବିଫଳ ହୋଇଥିଲା। ଆନ୍ଦୋଳନ ଯୋଗୁଁ କୋଇଲା ସଂକଟ ଦିନକୁ ଦିନ ଉତ୍କଟ ରୂପ ଧାରଣ କରୁଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ତଥା ଏମସିଏଲ୍ ପକ୍ଷରୁ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରି ହୋଇପଡ଼ିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର