ରାଜନଗର, (ସୂର୍ଯ୍ୟ ନାରାୟଣ ଲେଙ୍କା): ଏକର କି ଦୁଇ ଏକର ନୁହେଁ, ୧୦୦ ଏକର ଲୁଣା ଜଙ୍ଗଲକୁ କାଟି ସଫା କରିଦିଆଯାଇଛି। ଲୁଣା ଜଙ୍ଗଲ କାଟି ମାଛଚାଷ ପାଇଁ ଘେରି ନିର୍ମାଣ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନର ଅତି ସମ୍ବେଦନଶୀଳ ସାତଭାୟା ଅଂଚଳରେ ଏହି ଘେରି ନିର୍ମାଣ କରାଯାଇଛି। ଫାଇଲିନ ବାତ୍ୟା ପରଠାରୁ ୧୦୦ ଏକର ଜମିରେ ଜାତୀୟ ଉଦ୍ୟାନ ଭିତରେ ଘେରି ନିର୍ମାଣ କରାଯାଇଛି। କୌଣସି ମାଛ ମାଫିଆ କି ଅଧିବାସୀ ନୁହନ୍ତି, ବନବିଭାଗର କର୍ମଚାରୀ ଜଙ୍ଗଲ କାଟି ଘେରି ନିର୍ମାଣ କରି ବଣୁଆ ମାଛ ଚାଷ କରୁଛନ୍ତି। ସରକାରୀ ରେକର୍ଡରେ ଲୁଣା ଜଙ୍ଗଲ ଥିବା ଦର୍ଶାଯାଇଥିବାବେଳେ ଏଠାରେ ବଣୁଆ ମାଛ ଚାଷ ପାଇଁ ଘେରି ନିର୍ମାଣ କରାଯାଇଛି।

Advertisment

publive-image Wikimedia Commons

ଭିତରକନିକା ଜାତୀୟ ଉଦ୍ୟାନର ଘେରାବନ୍ଦୀ ଭିତରେ ରହିଛି ବଙ୍ଗୋପସାର କୂଳରେ ଥିବା ସାତଭାୟା। ଭିତରକନିକା ଜୈବ ବିବିଧତା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏଠାରୁ ଜନବସତି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ବରାହିପୁର, ବାଲିସାହି ଗାଁ ପରେ ରହିଛି କାଦୁଆନାସୀ ମୌଜା। ଏହି ମୌଜାରେ ପୂର୍ବରୁ କୌଣସି ଘରଦ୍ବାର ନ ଥିଲା କି ଆଜି ମଧ୍ୟ ନାହିଁ। ଏହି ମୌଜାର ଖାତା ନଂ. ୧ରେ ୧୩ଟି ପ୍ଲଟରେ ୨୫ ଏକର ୬୫ ଡେସିମିଲ ଜମି ଜଙ୍ଗଲ କିସମ ପାଇଁ ସଂରକ୍ଷିତ ଥିବା ବେଳେ ଖାତା ନଂ. ୨ ରେ ଗୋଟିଏ ପ୍ଲଟରେ ୭୧ ଏକର ୩୮ ଡିସିମିଲ ଜମି ଗ୍ରାମ୍ୟ ଜଙ୍ଗଲ ପାଇଁ ସଂରକ୍ଷିତ ରହିଛି। ଏହି ମୌଜାରେ କୌଣସି ଜନବସତି ନ ଥିବାରୁ ଓ ଏହି ଅଂଚଳର ଚାରିପାଖରେ ଲୁଣା ଜଙ୍ଗଲ ଘେରି ରହିଥିବାରୁ ଏହି ୨ଟି ଖାତାର ୯୭ ଏକର ୩ ଡିସିମିଲ ଜମିରେ ଲୁଣା ଜଙ୍ଗଲ ରହିଥିଲା। ‘ଫାଇଲିନ’ ବାତ୍ୟାରେ କାଦୁଆନାସୀ ମୌଜାକୁ ବଂଗୋପସାଗର କବଳରୁ ସୁରକ୍ଷା ଦେଉଥିବା ବାଲିପାହାଡରେ ଘାଇ ହୋଇ ସମୁଦ୍ର ଜୁଆର ଏହି ମୌଜାକୁ ପଶିଥିଲା। ଏହି ମୌଜାରେ ଥିବା କିଛି ଝାଉଁ ଗଛ ମଧ୍ୟ ବାତ୍ୟାରେ ଉପୁଡ଼ି ପଡିଥିଲା। ଏହାର ସୁଯୋଗରେ ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ବନ କର୍ମଚାରୀ ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ କାଦୁଆନାସୀ ମୌଜାରେ ଥିବା ହଜାର ହଜାର ବିରଳ ଗଛକୁ କାଟି ଦେଇଥିଲେ। ଏହି ୯୭ ଏକର ଜମି ଚାରିପଟରେ ୫ ଫୁଟ ଓସାରର କେନାଲ ଖୋଳିବା ସହିତ କେନାଲ ଖୋଳା ମାଟିରେ କାଦୁଆନାସୀର ୩ ପଟରେ ଆଡିବନ୍ଧ ବୁଲାଇ ଘେରି ନିର୍ମାଣ କରିଛନ୍ତି।

ସମୁଦ୍ର ଜୁଆର ଏହି ଘେରି ମଧ୍ୟକୁ ଅବାଧରେ ପ୍ରବେଶ କରୁଛି। ଜୁଆର ମାଧ୍ୟମରେ ମାଛ ଯାଆଁଳ ଘେରି ମଧ୍ୟକୁ ପଶୁଛି। ଘେରି ମଧ୍ୟରେ ସମୁଦ୍ର ଜୁଆରର ଉଦବୃତ୍ତ ପାଣିକୁ ନିଷ୍କାସନ ପାଇଁ ବାଉଁଶଗଡ ନଦୀ ପଟରେ ଜଙ୍ଗଲରୁ କାଠ କଟାଯାଇ ଅସ୍ଥାୟୀ ସ୍ଲୁଇସ ନିର୍ମାଣ କରାଯାଇଛି। ଏହି ସ୍ଲୁଇସରେ ଜାଲ ବସାଯାଇଛି। ବିନା ଖର୍ଚ୍ଚରେ ସମୁଦ୍ର ଜୁଆରରେ ଆସୁଥିବା ଯାଆଁଳ ଓ ମାଛକୁ ଘେରି ମଧ୍ୟରେ ରଖାଯାଇ ବର୍ଷ ତମାମ ବ୍ୟବସାୟ କରାଯାଉଛି। ଏହି ଘେରି ମଧ୍ୟରେ ଦୁଇଟି ଡଙ୍ଗା ରଖାଯାଇ ମାଛ ମରାଯାଉଛି। ବନବିଭାଗର କେତେଜଣ ନିୟମିତ କର୍ମଚାରୀଙ୍କ ସହିତ ଡିଏଲଆର କର୍ମଚାରୀ ମିଳିମିଶି ଏହି ମାଛ ବ୍ୟବସାୟ କରୁଥିବା ଗୁରୁତର ଅଭିଯୋଗ ହୋଇଛି। ସାତଭାୟାରେ ଜନସବତି ନ ଥିବାରୁ ଓ ସାଧାରଣ ଲୋକଙ୍କ ଯାଆସ ସେଠାକୁ ନଥିବାରୁ ଜଙ୍ଗଲ ଭିତରେ ଜଙ୍ଗଲ ଜମିରେ ଘେରି ନିର୍ମାଣ କରାଯାଇ ବେଧଡକ ମାଛ ବେପାର କରାଯାଉଛି। ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ବନ କର୍ମଚାରୀ ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଜଙ୍ଗଲ କାଟି ଘେରି ନିର୍ମାଣ କରିଛନ୍ତି। ଏ ସଂପର୍କରେ ରେଂଜ ଅଫିସର ସୁରଜିତ ସାହୁ କହିଛନ୍ତି ଯେ ଡିଏଲଆର କର୍ମଚାରୀ ସୁଧାକର ବେହେରା ଏହି ଘେରି କରିଛନ୍ତି। ତାଙ୍କର ସେଠାରେ ଜମି ଥିବା କଥା କହୁଛନ୍ତି। ତେବେ ତଦନ୍ତ କରାଯାଇ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।