ଚାଷୀ ପଞ୍ଜୀକରଣରେ ବଡ଼ ଜାଲିଆତି : ନକଲି ଚାଷୀ ନେଇଗଲେ କୋଟି କୋଟି ଟଙ୍କା

କାଲିମେଳା ବ୍ଲକ୍‌ର ୧୩୦୭ ଚାଷୀ ଜଳକା, ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ୨ ଡିଇଓ ବହିଷ୍କୃତ

କାଲିମେଳା : ନବରଙ୍ଗପୁର ଜିଲ୍ଲା ପରେ ମାଲକାନଗିରି ଜିଲ୍ଲାରେ ଚାଷୀ ପଞ୍ଜୀକରଣରେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଛି। ଅସଲି ଚାଷୀଙ୍କ ଜମି ପଟ୍ଟାରେ ପଞ୍ଜୀକରଣ କରି ନକଲି ଚାଷୀ ନେଇଯାଇଛନ୍ତି କୋଟି କୋଟି ଟଙ୍କା। ଖୋଳତାଡ଼ ପରେ ଲ୍ୟାମ୍ପସରେ କାର୍ଯ୍ୟରତ ଦୁଇ ଡିଇଓଙ୍କ ସଂପୃକ୍ତି ଜଣାପଡ଼ିବାରୁ ଉଭୟଙ୍କୁ ବହିଷ୍କାର କରାଯାଇଛି। ଅପରପକ୍ଷରେ କାଲିମେଳା ବ୍ଲକର ପଞ୍ଜିକୃତ ୧୩୦୭ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି।

ସୂଚନା ଅନୁଯାୟୀ, କାଲିମେଳା ବ୍ଲକର ୯୨୭୮ଜଣ ଚାଷୀ ଗତ ଖରିଫ ଋତୁରେ ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣ କରିଥିଲେ। ଲ୍ୟାମ୍ପସ ପକ୍ଷରୁ ୧୩ଟି ସ୍ଥାନରେ ମଣ୍ଡି ଖୋଲି ଗତବର୍ଷ ନଭେମ୍ବର ମାସ ୩୦ତାରିଖରୁ ଧାନ କିଣା ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ୭୯୭୧ଜଣ ଚାଷୀଙ୍କ ଠାରୁ ୩ଲକ୍ଷ ୨୭ହଜାର ୭୬୬ କ୍ବିଣ୍ଟାଲ ଧାନ କିଣିବା ପରେ ହଠାତ୍ ଟାର୍ଗେଟ ନଥିବା ଦର୍ଶାଇ ମଣ୍ଡିକୁ ବନ୍ଦ କରାଗଲା। ୯୭୭୫ଟି ଟୋକେନ୍ ପ୍ରଦାନ କରିବା ସତ୍ତ୍ବେ ୧୩୦୭ ଜଣ ଚାଷୀଙ୍କ ଠାରୁ ଆଉ ଧାନ ଉଠାଉ ନାହାନ୍ତି କ୍ରୟକାରୀ ସଂସ୍ଥା। ଗୋଟିଏ ବ୍ଲକ୍‌ର ଏତେ ସଂଖ୍ୟାରେ ଚାଷୀ ଧାନ ବିକ୍ରିରୁ ବାଦ ପଡ଼ିବା ପ୍ରଥମ ଘଟଣା ହୋଇଥିବାରୁ ଖୋଳତାଡ଼ କରିବାରୁ ଜାଲିଆତି ଏବଂ ଦୁର୍ନୀତିର ପୁଳା ପୁଳା ପ୍ରମାଣ ମିଳିଛି। ଅସଲି ଚାଷୀଙ୍କ କାଗଜପତ୍ରରେ ଜାଲି ଚାଷୀଙ୍କୁ ପଞ୍ଜୀକରଣ କରି ଧାନ କିଣାବିକା ହୋଇଥିବା ଦେଖିବାକୁ ମିଳିଛି।

ତେଲରାଇ ଗ୍ରାମର ସିଂଗା କବାସୀଙ୍କ ଖାତା ନମ୍ବର ୭୦ ଏବଂ ପ୍ଲଟ୍ ନମ୍ବର ୪୫୩ରେ ଚାଷ ଜମି ରହିଛି। ଖରିଫ ଋତୁରେ ଧାନ ବିକ୍ରି ନିମନ୍ତେ ସେ ଜମି ପଟ୍ଟାର ନକଲ ସହ ଅନ୍ୟାନ୍ୟ କାଗଜପତ୍ର ପଞ୍ଜୀକରଣ ପାଇଁ ଦେଇଥିଲେ। ଟୋକେନ୍ ପାଇଁ ପ୍ରାୟ ଦୁଇ ମାସ ଅପେକ୍ଷା କରିବା ପରେ ବାଧ୍ୟ ହୋଇ ଜଣେ ବ୍ୟବସାୟୀଙ୍କୁ କ୍ବିଣ୍ଟାଲ ପିଛା ୧୨ଶହ ଟଙ୍କାରେ ସମସ୍ତ ଧାନ ବିକ୍ରି କରିଥିଲେ। ଏ ନେଇ ଅଧିକ ଖୋଳତାଡ଼ କରିବାରୁ ସିଂଗା କବାସୀଙ୍କ ଜମି ପଟ୍ଟାର ନକଲ ଦାଖଲ କରି ମିଣ୍ଟୁ ସିକଦାର ଜଣେ ବ୍ୟକ୍ତି ମଣ୍ଡିରେ ଧାନ ବିକ୍ରି କରିଥିବା ଜଣାପଡ଼ିଥିଲା। ପଞ୍ଜୀକରଣ ସମୟରେ ମିଣ୍ଟୁ ସିକଦାରଙ୍କୁ ସିଂଗା କବାସୀଙ୍କ ପୁଅ ବୋଲି ଦର୍ଶାଯାଇଛି। ସେହିପରି ଆମ୍ବାଗୁଡ଼ା ଗାଁର ଲାକା ପଡ଼ିଆମୀଙ୍କ ଜମି ବିବରଣୀ ଦେଇ କବିତା ମଣ୍ଡଳ ନାମକ ଜଣେ ମହିଳା ମଣ୍ଡିରେ ଧାନ ବିକ୍ରି କରିଛନ୍ତି। କବିତାଙ୍କୁ ଲାକା ପଡ଼ିଆମୀଙ୍କ ନାତୁଣୀ ବୋଲି ଦର୍ଶାଯାଇଛି। ଲାକା ପଡ଼ିଆମୀଙ୍କ ଅନେକ ଦିନ ତଳୁ ମୃତ୍ୟୁ ହୋଇ ସାରିଥିବା ବେଳେ ମଣ୍ଡିରେ ଧାନ ବିକ୍ରି ସଂପର୍କରେ ଆଦୌ କିଛି ଜାଣି ନାହାନ୍ତି ତାଙ୍କ ନାତି ବଜା ପଡ଼ିଆମୀ।

ଉପରୋକ୍ତ ଦୁଇଟି ଘଟଣା ନମୁନା ମାତ୍ର। ବ୍ଲକର ଏମିତି ଶହ ଶହ ଚାଷୀଙ୍କ ନାମରେ ଜାଲିଆତି କରି ହଜାର ହଜାର କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି। ଏହି ବାବଦରେ ମିଳିଥିବା ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କିଛି ବ୍ୟବସାୟୀ ଏବଂ ଲ୍ୟାମ୍ପସର ଅସାଧୁ କର୍ମଚାରୀ ହଡ଼ପ କରିଛନ୍ତି। ଏ ସଂପର୍କରେ କାଲିମେଳା ଲ୍ୟାମ୍ପସ ଏମଡି ସରୋଜ ସୁନ୍ଦରରାୟଙ୍କୁ ପଚାରିବାରୁ କିଛି ଡାଟା ଏଣ୍ଟ୍ରି ଅପରେଟର ଜାଲିଆତି କରିଥିବା ଜଣାପଡ଼ିଥିଲା। ସେମାନେ ଦୁର୍ନୀତି କରିଥିବା ପ୍ରମାଣ ମିଳିବାରୁ ବହିଷ୍କାର କରାଯାଇଥିବା ପ୍ରକାଶ କରିଛନ୍ତି। କିନ୍ତୁ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀ ଏହି ଜାଲିଆତି ଜାଣିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ସେମାନେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଭିଜିଲାନ୍ସ ଦ୍ବାରା ଏହି ଦୁର୍ନୀତିର ତଦନ୍ତ କଲେ ବଡ଼ଧରଣର ଦୁର୍ନୀତି ପଦାକୁ ଆସିବ ବୋଲି କହିଛନ୍ତି। ସଂପୃକ୍ତ ଦଲାଲ, ବ୍ୟବସାୟୀ ଏବଂ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର