ଭୁଶୁଡିଲା ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ, ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର : ଭୁଶୁଡିଲା ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ । ଟର୍ମିନାଲ-୧ ଓ ଟର୍ମିନାଲ-୨ରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ପ୍ରାୟ ୬୦ ଫୁଟର ଲମ୍ବା ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ନାମ ଅନ୍ତର୍ଯ୍ୟାମୀ ଗୁରୁ, ଘର ବଡମ୍ବାରେ। ଆହତ ଅବସ୍ଥାରେ ଏହି ଶ୍ରମିକମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅନ୍ତର୍ଯ୍ୟାମୀ ଗୁରୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଭୁଶୁଡି ପଡିଥିବା ଛାତ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି।

୮୭ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତ ଫେବ୍ରୁଆରୀ ୨୪ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟ ଶେଷ କରିବାକୁ ଡେଡଲାଇନ ରଖାଯାଇଥିଲା । ଯେହେତୁ ସମୟସୀମା ସରି ଆସୁଥିଲା ତେଣୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତରବରିଆ ଭାବେ କାମ ଚାଲିଥିବା ନେଇ ସନ୍ଦେହ କରାଯାଉଛି । ଏପରିକି ଶ୍ରମିକଙ୍କୁ ରାତି ଅଧିଆ କାମ କରିବାକୁ ପଡୁଥିଲା । ବିନା ସୁରକ୍ଷା ବନ୍ଦୋବସ୍ତର କାମ ଚାଲିଥିଲା କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏପରିକି ଦୁର୍ଘଟଣାକୁ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ମୁହଁ ନ ଖୋଲିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର