ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବବାହିନୀ, ବିଧାନସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବବାହିନୀ ପାଇଁ ଅର୍ଥବ୍ୟବସ୍ଥା ନାହିଁ, ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ବାର୍ଥପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବବାହିନୀ ଦ୍ବାରା ବର୍ତ୍ତମାନ କରାଯାଉନାହିଁ । ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ, ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବବାହିନୀ ନାଆଁରେ ଏକ ସଂଗଠନ ଖୋଲିଥିଲେ।

ସେପଟେ ମନ୍ତ୍ରୀଙ୍କ ସୂଚନା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ନିର୍ବାଚନ ପାର ହେବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା। ରାଜ୍ୟ ରାଜକୋଷରୁ ବିଜୁ ଯୁବବାହିନୀ ନାଁରେ ଟଙ୍କା ଲୁଟ୍ କରାଯାଇଛି। ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି ଟଙ୍କାରେ କୌଣସି ଉନ୍ନୟନମୂଳକ କାମ ହୋଇପାରିଥାନ୍ତା ବୋଲି କହିଛନ୍ତି ବିରୋଧୀ ଦଳ ନେତା।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ନିର୍ବାଚନ ନାହିଁ। ତେଣୁ ସରକାରଙ୍କୁ ବିଜୁ ଯୁବ ବାହିନୀର ଆଉ ଆବଶ୍ୟକତା ନାହିଁ। ତେଣୁ ଯେତେବେଳେ ତିନି ବର୍ଷ ପରେ ପୁଣି ନିର୍ବାଚନ ଆସିବ, ସେତେବେଳେ ରାଜ୍ୟ ସରକାରଙ୍କର ଆଉ କିଛି ବାହିନୀଙ୍କ କଥା ମନେ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର