କଳାହାଣ୍ଡି : ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ପ୍ରତିବନ୍ଧକ ସାଜିଛି ଯୋଗାଯୋଗ ବ୍ୟବସ୍ଥା, ବାଇକ ଆମ୍ବୁଲାନ୍ସ ହିଁ ଭରସା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲୋକଙ୍କୁ ଉପଲବ୍ଧ ହୋଇପାରିନାହିଁ । ଜିଲ୍ଲାରେ ବହୁ ଅଞ୍ଚଳରେ ଆମ୍ବୁଲାନ୍ସ ଗାଡି ଯିବା ପାଇଁ ରାସ୍ତା ନାହିଁ । ବହୁ ଦୁର୍ଗମ ଅଞ୍ଚଳକୁ ପାଦଚଲା ରାସ୍ତା ହିଁ ଲାଇଫ ଲାଇନ ସାଜିଛି । କିଛି ଅଞ୍ଚଳକୁ କେବଳ ବାଇକ ଯାଇପାରୁଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ରାଜ୍ୟର ପ୍ରଥମ ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ସେବା ପାଇଁ ଯୋଗାଯୋଗ ବ୍ୟବସ୍ଥା ପ୍ରତିବନ୍ଧକ ସାଜିଛି । ଦୀର୍ଘ ବର୍ଷ ଧରି ଗାଁ କୁ ରାସ୍ତା ଖଣ୍ଡେ ପାଇଁ ଲୋକେ ଦାବୀ କରି ଆସୁଥିଲେ ମଧ୍ୟ ସେମାନଙ୍କ ସ୍ୱର ରାଜଧାନୀରେ ପହଁଚି ପାରୁନଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ରେ ଯୋଗାଯୋଗ ବ୍ୟବସ୍ଥା ମରୀଚିକା ପାଲଟିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସ୍ଵାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତାଘାଟ ନ ଥିବା ଯୋଗୁଁ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ, ପ୍ରସୂତୀ ମହିଳା ମାନଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଏବଂ ସାଧାରଣ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସୁବିଧା ଯୋଗାଇଛନ୍ତି । ଦୁର୍ଗମ ଅଞ୍ଚଳରେ ଗୋଟିଏ ପଟେ ମୋବାଇଲ ନେଟୱାର୍କ ନଥିବା ବେଳେ ଅନ୍ୟ ପଟେ ଗାଁ କୁ ଆମ୍ବୁଲାନ୍ସ ଯିବାକୁ ବାଟ ନାହିଁ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର, ଲାକ ବାହାଲି, ବେନ ଗାଁ, ଲାଞ୍ଜି, ସାନ କୁଟରୁ, ବେଡା ଗାଁ, କଦମ ଗୁଡ଼ା, କୁମଖାଲ, ଭୁର୍ତ୍ତିଗଡ଼, ଭଟାଙ୍ଗପଦର, ଗୁଣ୍ଡରି ସମେତ ବହୁ ପଞ୍ଚାୟତ ରେ ବହୁ ଗାଁ କୁ ରାସ୍ତା ନାହିଁ । ସେହିଭଳି ଜୁନାଗଡ଼ ବ୍ଲକର ବୁଢ଼ୀଦର, ବାଙ୍କପଲାସ, ଦୁନ୍ଦେଲମାଲ ଓ ଦେଦର ପଞ୍ଚାୟତ, ମଦନପୁର ରାମପୁର ବ୍ଲକର ଉର୍ଲାଦାନୀ ,ମୋହନଗିରୀ, ଦେଢ଼ଶୁଲି, ବାରବନ୍ଧା, ମାଣିକେରା ପଞ୍ଚାୟତ, ଥୁଆମୂଳ ରାମପୁର ବ୍ଲକର ମାଲିଗାଁ, ସିଲେଟ, କେରପାଇ, ନାକରୁଣ୍ଡି, ତଳ ଆମପଦର, କରଲାପାଟ, କିଆପଦର, କାଣିଗୁମା, ସିନ୍ଧିପଦର, ଥୁଆମୂଳ, ବିରିକୋଟ, ତଲଝାପି, ପଡେପଦର, ମହୁଲ ପାଟଣା, ଗୋପୀନାଥପୁର, ଅଡରି ସମେତ ବହୁ ପଞ୍ଚାୟତର ବହୁ ଗାଁ ମାନଙ୍କୁ ସଡ଼କ ଯୋଗାଯୋଗ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ରୋଗୀ ମାନଙ୍କ ପାଇଁ ପହଞ୍ଚି ପାରେ ନାହିଁ ।

GujjuMasti

ବହୁ ଦୁର୍ଗମ ଅଞ୍ଚଳ ଗାଁ ମାନଙ୍କୁ କେବଳ ପାଦଚଲା ରାସ୍ତା ହିଁ ଲାଇଫ ଲାଇନ ସାଜିଛି । କିଛି ଗାଁ କୁ କେବଳ ବାଇକ ହିଁ ଯିବା ଆସିବା ପାଇଁ ସାଧନ ସାଜିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷା ମୂଳକ ଭାବରେ ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ଥୁଆମୂଳ ରାମପୁର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସାଇସୁରନୀ ଏବଂ ଲାଞ୍ଜିଗଡ଼ ବ୍ଲକର ବଙ୍କା କୁଣ୍ଡୁରୁ ଠାରେ ୩ ଟି ବାଇକ ଆମ୍ବୁଲାନ୍ସ ରଖା ଯାଇଛି । ଏପର୍ଯ୍ୟନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୪୯୩ ଜଣ , ଏହି ବ୍ଲକର ସାଇସୁରନୀ ଠାରେ ଥିବା ବାଇକ ଆମ୍ବୁଲାନ୍ସ ଦ୍ୱାରା ୬୭୦ ଜଣ ଓ ଲାଞ୍ଜିଗଡ଼ ବ୍ଲକର ବଙ୍କାକୁଣ୍ଡୁରୁ ଠାରେ ଥିବା ବାଇକ ଆମ୍ବୁଲାନ୍ସ ଯୋଗେ ୧୩୬୩ ଜଣ ରୋଗୀ ଦୁର୍ଗମ ଅଞ୍ଚଳରୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଛନ୍ତି । ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ୨ ହଜାର ୫୨୬ ଜଣ ରୋଗୀ ବାଇକ ଆମ୍ବୁଲାନ୍ସର ସୁବିଧା ପାଇ ପାରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଦନପୁର ରାମପୁର ବ୍ଲକର ଉର୍ଲାଦାନୀ ଓ ଥୁଆମୂଳ ରାମପୁର ବ୍ଲକରେ ଆଉ ଗୋଟିଏ ବାଇକ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଜିଲ୍ଲାର ଯେଉଁ ଦୁର୍ଗମ ଅଞ୍ଚଳକୁ କେବଳ ବାଇକ ଯାଇ ପାରୁଛି ସେସବୁ ଅଞ୍ଚଳ ପାଇଁ ଅଧିକ ବାଇକ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି । ଦୁର୍ଗମ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ହିଁ ଲୋକଙ୍କ ପାଇଁ ଭରଷା ସାଜିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ଓ ମୋବାଇଲ ନେଟୱାର୍କ ସଂଯୋଗୀ କରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦୃଢ଼ ଦାବୀ ଜଣାଇଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟସେବା ପାଇଁ ଯୋଗାଯୋଗ ଵ୍ୟଵସ୍ଥା ପ୍ରତିବନ୍ଧକ ସାଜିଥିବା ବେଳେ ବାଇକ ଆମ୍ବୁଲାନ୍ସ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଆଶାର ଆଲୋକ ସଞ୍ଚାର କରିଛି ।

ସମ୍ବନ୍ଧିତ ଖବର