ଦେବଗଡ଼ ଜିଲ୍ଲା ବିଜେଡିର ଅଭିଯୋଗ : ଜମି ଦୁର୍ନୀତିରେ ସଂପୃକ୍ତ ବିଜେପି ବିଧାୟକ

ଭୁବନେଶ୍ବର : ଦେବଗଡ଼ ବିଧାୟକ ନୀତେଶ ଗଙ୍ଗଦେବଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଆଣିଛି ଦେବଗଡ଼ ଜିଲ୍ଲା ବିଜେଡି। ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ଜମିକୁ ବିଧାୟକ ହରିଲୁଟ୍‌ କରିଛନ୍ତି। ସ୍ବଚ୍ଛ ଶାସନର ସ୍ଲୋଗାନ୍‌କୁ ପ୍ରମାଣିତ କରିବାକୁ ହେଲେ ଶ୍ରୀ ଗ‌ଙ୍ଗଦେବଙ୍କୁ ବିଜେପି ଦଳରୁ ବହିଷ୍କାର କରିବାକୁ ଦାବି ହୋଇଛି।

ଆଜି ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ସୁଧୀର କପରଦାର କହିଛନ୍ତି, ୧୯୬୦ ମସିହାରେ ରାଜ୍ୟ ଭୂ-ସଂସ୍କାର ଆଇନ ଆଣିଥିବା ବେଳେ ୧୯୭୪ ମସିହାରେ ଏଥିରେ ସଂଶୋଧନ କରି କାର୍ଯ୍ୟକାରୀ କରିଥିଲେ। ବାମଣ୍ଡା ରାଜ ପରିବାରର ମୋଟ ୫୬୫ ଏକର ଚାଷ ଜମି, ଦେବଗଡ଼ ତହସିଲଦାର ଏହି ପରିବାରକୁ ୩ ଭାଗରେ ବିଭକ୍ତ କରି ପ୍ରତ୍ୟେକଙ୍କୁ ୧୦ ଷ୍ଟାଣ୍ଡାର୍ଡ ଏକର ଜମି ଦେବା ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ରାଜ ପରିବାର ଓଏଲଆର କେସ୍ ନଂ ୩୦/୭୪କୁ ଟାଳି ଚାଲିଥିଲେ। ଜାଲିଆତି ଓ ଚଞ୍ଚକତା କରି ସିଲିଂ ପାଇଁ ଉଦ୍ଦିଷ୍ଟ ଜମିକୁ ବିକ୍ରି କରି ଚାଲିଥିଲେ। ଏହାର ପ୍ରତିବାଦରେ ଦେବଗଡ଼ ନାଗରିକ କମିଟି ପକ୍ଷରୁ ୨୦୧୩ ମସିହା ଡିସେମ୍ବର ୩ ତାରିଖରେ ୩ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ଏହି ମାମଲାରେ ୨୦୧୬ ମସିହା ଜୁନ୍ ୩୦ ତାରିଖରେ ଦେବଗଡ଼ ଅଦାଲତରେ ଆତ୍ମସମର୍ପଣ କରି ଜାମିନ୍‌ ପାଇଛନ୍ତି। ତେଣୁ ଭୂମିହୀନଙ୍କ ଜମି ହରିଲୁଟ୍ କରିଥିବା ବିଧାୟକଙ୍କୁ ବିଜେପି ଦଳରୁ ବହିଷ୍କାର କରୁ ବୋଲି ଶ୍ରୀ କପରଦାର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ଯୁବ ସଭାପତି ଭୂପେନ୍ଦ୍ର ପ୍ରସାଦ ନାୟକ, ଉପସଭାପତି ନିଶାନି ବେହେରା, ମହିଳା ସଭାପତି ପ୍ରମିଳା ତିଗା ଓ ଛାତ୍ର ସଭାପତି ରାକେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ବିଧାୟକଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର