ମାହାଙ୍ଗାରେ ୪ ମହିଳାଙ୍କୁ ବିଧବା କରିଛି କିଏ?

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ

କଟକ/ମାହାଙ୍ଗା : ମାହାଙ୍ଗାରେ ୪ ମହିଳାଙ୍କୁ ବିଧବା କଲା କିଏ? କୁଳମଣି ବରାଳ, ବିକାଶ ଜେନା ଆଉ ନୟାଗଡ଼ର କୁନି ଝିଅ ପରୀ କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତଥାକଥିତ ପରିବାର ଭିତରେ ଯାଉନାହାନ୍ତି? ବିଶ୍ବ ମହିଳା ଦିବସ ଅବସରରେ ମାହାଙ୍ଗାରେ ଆୟୋଜିତ ମହିଳା ସମାବେଶରେ ବିଜେଡି ସରକାରକୁ ଏଭଳି ପ୍ରଶ୍ନ କରି ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ବରୀ।

ମାହାଙ୍ଗାର ବରାହିପୁର ପଂଚାୟତ ନିକଟସ୍ଥ ପଡିଆରେ ଆୟୋଜିତ ଏହି ସମାବେଶରେ ଉଦବୋଧନ ଦେଇ ପୁରନ୍ଦେଶ୍ବରୀ କହିଛନ୍ତି ଯେ, ମହିଳାଙ୍କୁ ସବୁବେଳେ ଭୋଟ ମେସିନ୍‌ ଭାବେ ଦେଖୁଛି ବିଜୁ ଜନତା ଦଳ। ଏହି ଦଳ ଓଡ଼ଶାରେ ମହିଳାଙ୍କୁ ସମ୍ମାନ ଦେବା କଥା କହୁଛି । କିନ୍ତୁ ମାହାଙ୍ଗାରେ ୪ ଜଣ ମହିଳାଙ୍କୁ ବିଧବା କଲା କିଏ? ମୁଖ୍ୟମନ୍ତ୍ରୀ ଅଥବା ଏଠିକାର ବିଜୁ ଜନତା ଦଳ ଏହାର ଜବାବ୍‌ ଦେଇପାରିବ କି? ନୟାଗଡ଼ର ଛୋଟ ଶିଶୁ ‘ପରୀ’ର ହତ୍ୟା ଘଟଣାର ଜବାବ୍‌ କିଏ ଦେବ? ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି , ନବୀନ ବାବୁ କହୁଛନ୍ତି ସାଢେ ୪ କୋଟି ଓଡିଶାବାସୀ ତାଙ୍କର ପରିବାର। ତେବେ ସେମାନଙ୍କ ଭିତରେ କ’ଣ କୁଳମଣି ବରାଳ ଓ ବିକାଶ ଜେନାଙ୍କ ପରିବାର ଯାଉନାହାନ୍ତି? ବିଜେପି ପ୍ରଭାରୀ ଅଭିଯୋଗ କରିଛନ୍ତି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ କଥା ଉଠାଇଲେ ବୋଲି ବିଜେପିର ନେତାମାନଙ୍କୁ ମାହାଙ୍ଗାରେ ହତ୍ୟା କରାଗଲା। ମହିଳାଙ୍କୁ ବିଧବା ସଜାଇଲା ବିଜେଡି। ପରୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଭଳି ଘଟଣା ରାଜ୍ୟରେ ଘଟୁଛି। କିନ୍ତୁ ବିଜେପି ସେବାରେ ବିଶ୍ବାସ କରେ। ବିଜେପି ସବୁବେଳେ ମହିଳାଙ୍କୁ ସମ୍ମାନ ଦେବା ଶିଖିଛି। କେନ୍ଦ୍ରରେ ବିଜେପି ସରକାର ମହିଳାଙ୍କ ବିକାଶ ପାଇଁ ଯୋଜନା କରିବା ସହିତ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି। ୨୦୨୪ ନିର୍ବାଚନରେ ମାହାଙ୍ଗାରେ ବିଜେପି ପ୍ରାର୍ଥୀଙ୍କୁ ମହିଳାମାନେ ବିଜୟୀ କରାଇବେ ଓ ରାଜ୍ୟରେ ମଧ୍ୟ ବିଜେପି ସତ୍ତାକୁ ଆସିବ, ଆଜିର ସମାବେଶ ଏହି ସଙ୍କେତ ଦେଉଛି ବୋଲି ପୁ‌ରନ୍ଦେଶ୍ବରୀ କହିଛନ୍ତି ।

ମାହାଙ୍ଗା ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ଉପସଭାପତି ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଜିଲ୍ଲା ସଭାପତି ତଥା ପୂବର୍ତନ ବିଧାୟକ ପ୍ରକାଶ ବେହେରା, ଜିଲ୍ଲା ମହିଳା ‌ସଭାନେତ୍ରୀ ଯାଜ୍ଞସେନୀ ଜେନା, ସାଲେପୁର ବ୍ଲକ୍‌ ଅଧ୍ୟକ୍ଷା ମମତା ରାଉତ୍‌, ପ୍ରତିଭା ଶତପଥୀ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା କମଳା ବସ୍ତିଆ, ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗ ଦେଇଥିଲେ।

ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅପରାଧମୁକ୍ତ, ନବୀନ ମୁକ୍ତ ଓ ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ସମସ୍ତ ମହିଳା ସଂକଳ୍ପ ନିଅନ୍ତୁ ବୋଲି ଆହ୍ବାନ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ଶ୍ରୀ ବେହେରା ଓ ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା ମାହାଙ୍ଗାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଥିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନିଶ୍ଚିନ୍ତକୋଇଲି ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ କମଳା ବସ୍ତିଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର