ବରୀ : ପୂର୍ତ୍ତ ବିଭାଗର ଜଣେ ଠିକା ଶ୍ରମିକଙ୍କୁ ବରୀ ବିଧାୟକ ଦେବାଶିଷ ନାୟକ ଅହେତୁକ ଅନୁକମ୍ପା ଦେଖାଇଛନ୍ତି। ତାଙ୍କ ନାମରେ ଥିବା ସୌଖୀନ ଗାଡ଼ିକୁ ଚଢ଼ୁଛନ୍ତି। ସଂପୃକ୍ତ ଠିକା ଶ୍ରମିକଙ୍କୁ କୋଟି କୋଟିର ଠିକା କାମ ବି ଦେଇଛନ୍ତି। ବିଜେପି ଯୁବ ନେତା ବିଶ୍ୱ ରଂଜନ ମଲ୍ଲିକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ବିଜେପିର ଏଭଳି ମନ୍ତବ୍ୟ ପରେ ଜିଲ୍ଲା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମଲ୍ଲିକ କହିଲେ ଯେ ଠିକା ଶ୍ରମିକ ସେକ୍ ମଜିଉଲ୍ଲାଙ୍କୁ ବିଧାୟକ ଶ୍ରୀ ନାୟକ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। କୋଟି କୋଟି ଟଙ୍କାର କାମ ଟେକି ଦେଇଛନ୍ତି। ଗତ ୨ଟି ଆର୍ଥିକବର୍ଷ ୨୦୧୫-୧୬ ଓ ୨୦୧୬-୧୭ରେ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ସାଂସଦଙ୍କ ପାଣ୍ଠି, ସ୍ୱତନ୍ତ୍ର ଉନ୍ନୟନ ସମସ୍ୟା ପାଣ୍ଠି ଏପରିକି ଆଇଏପି ଯୋଜନାରୁ ଦେଢ କୋଟିରୁ ଅଧିକ ଟଙ୍କାର ଅନୁଦାନ ମଜିଉଲ୍ଲାଙ୍କ ନାମରେ ଦିଆଯାଇଛି। ପ୍ରକଳ୍ପ ନିର୍ମାଣ କରିବାକୁ ଠିକା ଶ୍ରମିକ ସେକ୍ ମଜିଉଲ୍ଲାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ବିଧାୟକ ସୁପାରିସ୍ କରିଛନ୍ତି। ବିଧାୟକ ସୁପାରିସକୁ ଗ୍ରହଣ କରି ବ୍ଲକ ପ୍ରଶାସନ ମଧ୍ୟ କାର୍ଯ୍ୟାଦେଶ ଦେଇଛି। ଅନୁଦାନରେ ବରୀ, ଚନ୍ଦନପୁର ଓ କିମ୍ଭିରିଆପାଳ ପଞ୍ଚାୟତରେ ୧୯ଟି ପ୍ରକଳ୍ପ ନିର୍ମାଣ କରାଯାଇଛି। ସେଥିରୁ କେତେକ ସ୍ଥାନରେ ଗୋଟିଏ ଗୋଟିଏ ପ୍ରକଳ୍ପକୁ ଭିନ୍ନ ଭିନ୍ନ ନାମରେ ମିଥ୍ୟା ବିଲ୍ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ସେକ୍ ମଜିଉଲ୍ଲା ନାମରେ ଥିବା ସୌଖୀନ ଫୋର୍ଡ ଗାଡ଼ି (ଓଡି ୦୭ ଜି ୦୦୦୧) ନମ୍ବର ପ୍ଲେଟ୍ରେ ବରୀ ବିଧାୟକ ଲେଖାଯାଇଛି। ସରକାର ପିସି ବନ୍ଦ କରିବାକୁ ନାରା ଦେଉଥିବା ବେଳେ ବିଧାୟକ ଯେଉଁ ଗାଡ଼ି ଚଢୁଛନ୍ତି ତାହା ପିସି ଅର୍ଥରେ ନା ମଜିଉଲ୍ଲା ସହିତ କୋଟି କୋଟି ଟଙ୍କାର କାମରେ ଭାଗୀଦାରି ରହି ସେହି ଅର୍ଥରେ ଗାଡ଼ି ଚଢୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ସମାନ ଅଭିଯୋଗକୁ ଲିଖିତ ଭାବେ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ ବିଭାଗ ଯାଜପୁର, ଯାଜପୁର ଜିଲ୍ଲାପାଳ, ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ ଓ ବରୀ ବିଡ଼ିଓଙ୍କୁ ଜଣାଇଛନ୍ତି। ଗତ ନଭେମ୍ବର ମାସ ୯ ତାରିଖରୁ ଅଭିଯୋଗ ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇ ନଥିବାରୁ ଗଣମାଧ୍ୟମ ଜରିଆରେ ସେ ତଦନ୍ତ ଦାବି କରିଛନ୍ତିା
ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ଦାସ, ଉପାଧକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନିଳମଣୀ ସାମଲ, ଦିଲୀପ ମହାନ୍ତି, ପ୍ରାକ୍ତନ ଉପାଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ର, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ଦାସ, ସରପଞ୍ଚ ବିଜୟ କିଶୋର ସାହାଣି, ବୀରେନ୍ଦ୍ର କୁମାର ମିଶ୍ର, ଶ୍ରୀଧର ଧଳ, ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ସାମଲ, ଅଭିରାମ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିର ଅଭିଯୋଗ ସଂପର୍କରେ ବିଧାୟକ ଦେବାଶିଷ୍ ନାୟକଙ୍କୁ ପଚାରିବାରୁ ସେ ଦୁଇ ଧାଡ଼ିରେ ଉତ୍ତର ରଖି କହିଲେ ଯେ, ‘ ସେ କ୍ଷୁଦ୍ର ଲୋକ ଆମର ସମାସ୍କନ୍ଦ ନୁହେଁ। ତା କଥା ଉପରେ ପ୍ରତିକ୍ରିୟା ଦେବାରେ ନାହିିଁ। ଆମ ଘର କଥା ଆମେ ବୁଝିବୁ। ଅନ୍ୟମାନଙ୍କ ଘର ଭିତରେ ସେ ମୁଣ୍ଡ ନ ଖେଳାଉ’ । ବିଶ୍ୱରଂଜନଙ୍କ ନାମ ନନେଇ ସେ ଏହିଭଳି ଆକ୍ଷେପ କରି କହିଥିଲୋ ବ୍ଲକ୍ ବିଜେଡ଼ି ସଭାପତି ସେକ୍ ସଫିକ୍ ଉଦ୍ଦିନ୍ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହାର ଉତ୍ତର ସଠିକ୍ ସମୟରେ ରଖାଯିବ।