ସବୁ ଯୋଜନାରୁ ଅଯୋଗ୍ୟଙ୍କୁ କାଢ଼: ବିଜେପି

ଭୁବନେଶ୍ବର : କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ନେଇ ସରକାରଙ୍କ ଘୋଷଣା ପରେ ବିଜେପି ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି। ଦଳ ପକ୍ଷରୁ ଆରୋପ ଲଗାଯାଇଛି, ୨୦୧୯ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଓ ନିଜ ଦଳ ସପକ୍ଷରେ ଭୋଟ୍‌ ହାତେଇବା ପାଇଁ ବିଜେଡି ସରକାର କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିଥିଲେ। ଏବେ ସରକାର କାଳିଆ ଯୋଜନାରୁ ଅ‌େଯାଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ସ୍ବଚ୍ଛତା କେବଳ କାଳିଆ ଯୋଜନା ପାଇଁ ଲାଗୁ ହେବ ନା ଅନ୍ୟ ଯୋଜନାରୁ ବି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, କାଳିଆ ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଅର୍ଥ ବ୍ୟବସ୍ଥା କରି ଭୋଟ୍‌ କିଣିବାର ଯୋଜନା କରିଥିଲେ ନବୀନ ପଟ୍ଟନାୟକ। ଏଥିରେ ଚାଷୀ, ଅଣଚାଷୀ ଓ ଦଳୀୟ କର୍ମୀମାନଙ୍କୁ ସରକାର ସାମିଲ କରିଥିଲେ। ଏବେ କାଳିଆ ତାଲିକା ଭିତରେ ବହୁ ଅଯୋଗ୍ୟ ହିତାଧିକାରୀ ପଶିଯାଇଛନ୍ତି ବୋଲି ଯୋଜନା ଆରମ୍ଭର ୮ ମାସ ପରେ ସରକାରଙ୍କ ଚିନ୍ତା ପଶିଛି। ସରକାରଙ୍କ ଅନ୍ୟ ଯୋଜନାଗୁଡ଼ିକରେ ମଧ୍ୟ ବହୁ ଅଯୋଗ୍ୟ ଲୋକ ଫାଇଦା ନେଇଛନ୍ତି। ବିଜୁ ପକ୍କା ଘର ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ କେବଳ ରାଜନୈତିକ ବିଚାରରେ ନିଆଯାଇଛି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ କେଉଁ ୭୦ ଲକ୍ଷ ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦେଲେ, ତାହା ସାର୍ବଜନୀନ ହେଉ ନାହିଁ। ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନଙ୍କୁ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି ବୋଲି ଦାବି କରୁଛନ୍ତି, ସେମାନଙ୍କର ତାଲିକା ବି ନାହିଁ। ଏସବୁ କ୍ଷେତ୍ର‌େର ସ୍ବଚ୍ଛତା ଅନୁସରଣ କରିବା ପାଇଁ ନବୀନ ସରକାର ସାହସ ଦେଖାଇବାକୁ ଶ୍ରୀ ମହାନ୍ତି ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର