ବାଇପାସ୍‌ ଦାବି: ଦ୍ୱିତୀୟ ଦିନରେ ବି ବଲାଙ୍ଗୀର ବନ୍ଦ, ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା

ବଲାଙ୍ଗୀର :ବଲାଙ୍ଗୀରରେ ବାଇପାସ ରାସ୍ତା ଦାବିରେ ଦ୍ୱିତୀୟ ଦିନରେ ବି ବଲାଙ୍ଗୀର ବନ୍ଦ ରହିଥିଲା। ଶୁକ୍ରବାର ସହର ମଧ୍ୟରେ ଗାଡ଼ି ଚଳାଚଳ, ଅଫିସ, ସ୍କୁଲ କଲେଜ, ବ୍ୟାଙ୍କ ବନ୍ଦ ଥିଲା। ମିଳିତ କ୍ରିୟାନୁଷ୍ଠାନ କମିଟି, ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସହରବାସୀ ସ୍ୱତଃସ୍ଫୂର୍ତ୍ତ ଭାବରେ ସାମିଲ ହୋଇଥିଲେ।

ଶୁକ୍ରବାର ସକାଳେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଅନ୍ତର୍ଯ୍ୟାମୀ କରଣଙ୍କ ନେତୃତ୍ୱରେ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବନ୍ଦରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବିଭିନ୍ନ ଅଞ୍ଚଳରେ କାଁ ଭାଁ ଖୋଲିଥିବା ସରକାରୀ ଅଫିସ, ଦୋକାନଗୁଡ଼ିକୁ ବନ୍ଦ କରାଇଥିଲେ। ସେହିପରି ଶ୍ରମିକ ସଂଘର ସଭାପତି ତଥା ଶ୍ରମିକ ନେତା ଲଳିତ ନାୟକ, କିଶୋର ମିଶ୍ର, ବିଙ୍ଗ ହ୍ୟୁମାନର ସୋମନାଥ ମିଶ୍ରଙ୍କ ସହ ସଂଗଠନର ଅନ୍ୟ ସଦସ୍ୟ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ମିଳିତ କ୍ରିୟାନୁଷ୍ଠାନ କମିଟିରେ ସାମିଲ ଥିବା ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ମଧ୍ୟ ଏକ ଶୋଭାଯାତ୍ରା ବାହାରିଥିଲା। କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିକ୍ରମାନନ୍ଦ ବହିଦାର, ଗିରିଶ ସିଂହଦେଓ, ଗୋପାଳକୃଷ୍ଣ ଆଚାର୍ଯ୍ୟ, ରିଲୁ ରଥ, ସନ୍ତୋଷ ପଟ୍ଟନାୟକଙ୍କ ସହ ବହୁ ଯୁବ ସଦସ୍ୟ ସାମିଲ ହୋଇ ଭାଗିରଥୀ ଛକରେ ପହଞ୍ଚିଥିଲେ। ସେଠାରେ ମୃତ କଲେଜ ଛାତ୍ରୀ ମିଲି ନାଏକ, ମାଲପଡ଼ାର ଲଳିତ ରଂଜନ କର, ପ୍ରଶାନ୍ତ ବାଗ, ଅଚ୍ୟୁତ ବଗର୍ତ୍ତିଙ୍କ ଆତ୍ମାର ସଦଗତି ପାଇଁ ପୂଜା କରିଥିଲେ। ଏହି ଅବସରରେ ଆନ୍ଦୋଳନକାରୀମାନେ ସରକାରୀ ଆଭିମୁଖ୍ୟର ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର