ବ୍ରଦ୍ମବରଦା କରୋନା ରୋଗୀଙ୍କ ସହ ସଂପର୍କ ଘଟଣା : ୨୪ ନମୁନା ନେଗେଟିଭ୍‌ ଆସିବା ପରେ ଆଶ୍ବସ୍ତି

କଟକ : ଯାଜପୁର ଜିଲ୍ଲା ବ୍ରହ୍ମବରଦା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପର୍କରେ ଆସିଥିବା ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଞ୍ଚଳର ୨୪ ଜଣଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି।

ସାଲେପୁର ବ୍ଲକ୍‌ ମୀର୍ଜାପୁର ପଂଚାୟତର ୧୨, ୧୩ ନମ୍ବର ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଜୟରାମପୁର ପଞ୍ଚାୟତର ୧ନମ୍ବର ୱାର୍ଡକୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୫ତାରିଖ ରାତିରୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯିବା ସହିତ ସିଲ୍‌ ‌କରାଯାଇଥିଲା। କରୋନା ଆକ୍ରାନ୍ତ ସଂପୃକ୍ତ ବ୍ୟକ୍ତି ଗୋଟିଏ ଦିନ ନିଜ ଗାଁକୁ ଆସି ନିଜ ପରିବାରଠାରୁ ଆରମ୍ଭ କରି ସେହି ଅଞ୍ଚଳର ଅନେକଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦିନ ୨୪ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏସ୍‌ସିବିକୁ ପଠାଯାଇଥିଲା। ତେବେ ଆଜି ସବୁ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଉକ୍ତ ଅଂଚଳର ସିଲ୍‌ ଖୋଲା ଯିବ ନା ନାହିଁ ଏବଂ ଆଗକୁ କି ପଦକ୍ଷେପ ନିଆଯିବ, ସେ ସଂପର୍କରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଉପଜିଲ୍ଲାପାଳ ଶୁଭ୍ରାଂସୁ ମିଶ୍ର, ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋ‌ଟରାୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କଣ୍ଟେନମେଣ୍ଟ ଅଂଚଳରେ ଘର ଘର ବୁଲି ଡାକ୍ତରୀ ଦଳ ସମସ୍ତଙ୍କ ସ୍ବାସ୍ଥ୍ୟ ଯାଂଚ କାର୍ଯ୍ୟ ଜାରି ରଖିଛନ୍ତି। ଏହା ଆସନ୍ତାକାଲି ସୁଦ୍ଧା ସରିବ ବୋଲି ଜଣାପଡିଛି। ସ୍ଥାନୀୟ ବିଡିଓ ଓ ତହସିଲଦାର ଉକ୍ତ ଅଂଚଳର ସ୍ଥିତି ନେଇ ରିପୋର୍ଟ ଦେବାପରେ ଏହି ଅଂଚଳ ସ୍ବାଭାବିକ ହେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର