ପୁରୀ ସାଂସଦ ଓ ପ୍ରଶାସନିକ ଅଧିକାରୀଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ବ୍ରହ୍ମଗିରି ବିଧାୟକ

ଭୁବନେଶ୍ୱର : ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶାସକ ଦଳର ସାଂସଦ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ସ୍ଥାନୀୟ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମଗିରି ବ୍ଲକ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାଂସଦ ପାଣ୍ଠିରେ ବ୍ରହ୍ମଗିରି ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକ ନିମନ୍ତେ ବ୍ୟବସ୍ଥା ହୋଇଥିବା ଦୁଇଟି ଆମ୍ବୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରୀ ସାଂସଦ ପିନାକୀ ମିଶ୍ର ଏହାର ଲୋକାର୍ପଣ କରିଥିଲା ବେଳେ କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଜିଲ୍ଲାପାଳ, ଏସ୍‌ପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବ୍ଲକ୍‌ ପ୍ରଶାସନର ଅଧିକାରୀ, ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ ନେତା, କର୍ମୀ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସ ଭଳି କାର୍ଯ୍ୟକ୍ରମକୁ ୧୦ ଜଣ ଲୋକଙ୍କ ମଧ୍ୟରେ ପାଳନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା ବେଳେ ଏହାକୁ ଅଣଦେଖା କରି କୋଭିଡକୁ ପ୍ରତିହତ କରିବା ଦାୟିତ୍ୱରେ ଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନେ ହିଁ କୋଭିଡ୍‌ ନିୟମର ଉଲ୍ଲଂଘନ କରିଥିଲେ। ଅପର ପକ୍ଷରେ ଶାସକ ବିଜେଡିର ନେତା ଓ କର୍ମୀମାନେ ସ୍ୱାଧୀନତା ଦିବସ ଭଳି ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଉତ୍ସବ ଭାବେ ପାଳନ କରିଥିବାର ଦେଖାଯାଇଥିଲା। ବର୍ତମାନ ବ୍ରହ୍ମଗିରିରେ କରୋନା ସଂକ୍ରମଣ ଅଧିକ ଥିବା ବେଳେ ଜିଲ୍ଲାର ସର୍ବୋଚ୍ଚ ଅଧିକାରୀମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଓ ଲୋକ ପ୍ରତିନିଧିଙ୍କୁ ଖୁସି କରିବାକୁ ଯାଇ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ଉତ୍ସବ ଭଳି ପାଳନ କଲେ ଓ କୋଭିଡ୍ ନିୟମର ଉଲ୍ଲଂଘନ କଲେ। ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟଙ୍କ ପରିବାର ଲୋକଙ୍କର କରୋନା ପଜେଟିଭ ରିପୋର୍ଟ ଆସିଥିଲେ ବି ସେ ସଙ୍ଗରୋଧରେ ରହିବା ପରିବେର୍ତ ଏଭଳି ସମାବେଶକୁ ଆସିଥିଲେ। କୋଭିଡ଼୍ ନିୟମ ଶାସକ ଦଳ ପାଇଁ ଗୋଟିଏ ଓ ଅନ୍ୟ ଦଳ ପାଇଁ ଅଲଗା କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀେରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ବିଜେପିର ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର