ତିନି କୋଟିର ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନରେ ପୁଣି ଥରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ହାତରେ ଧରାପଡ଼ିଛି ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀ। ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ମୟୂରଭଞ୍ଜରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଠାରୁ ୩କିଲୋ ୨୮୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତ ହେଉଛି କୁଳିଅଣା ଥାନା ଚିପଟ ଅସ୍ତିଆର ସେକ୍‌ ଆସିକ୍‌। ବ୍ରାଉନସୁଗାର ବେପାର ରାଜ୍ୟରୁ ମୂଳପୋଛ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ଚାଲିଥିବା ମିସନ୍‌ରେ ଏହା ଅନ୍ୟତମ ବଡ଼ ସଫଳତା ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ପୂର୍ବରୁ ବାଲେଶ୍ବର ଓ ଖୋର୍ଦ୍ଧା ଏହି ବେପାରର ହଟ୍‌ସ୍ପଟ ଭାବରେ ଜଣାଶୁଣା ଥିବା ବେ‌ଳେ ପ୍ରଥମ ଥର ପାଇଁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜରୁ ଏଭଳି ମାଫିଆ ଗିରଫ ହୋଇଛି। ବିଭିନ୍ନ ଜିଲ୍ଲାରେ ଏସ୍‌ଟିଏଫ୍‌ ତନାଘନା କରିବାରୁ ସୁରକ୍ଷିତ ବେପାର ପାଇଁ ଏଭଳି ଜିଲ୍ଲାକୁ ମାଫିଆ ବାଛିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ଆସିକ୍‌ ଏହି ବିପୁଳ ପରିମାଣର ଧଳା ଜହର ଧରି ଜିଲ୍ଲା ବାହାରର ବେପାରୀଙ୍କୁ ଦେବା ପାଇଁ ବାରିପଦା-କୁଳିଅଣା ଜାତୀୟ ରାଜପଥ କଡ଼ରେ ଅପେକ୍ଷା କରିଥିଲା। ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଦୁଇଦିନ ଧରି ବାରିପଦାରେ ଡେରା ପକାଇଥିବା ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ତାକୁ ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ମାଡ଼ି ବସିଥିଲା। ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇଜଣ ଖସି ଯିବାକୁ ସକ୍ଷମ ହୋଇଥିଲେ। ପ୍ରାଥମିକ ତଦନ୍ତରେ ଆସିକ୍‌ ନାମରେ ବାଲେଶ୍ବରରେ ଏଭଳି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ବାଲେଶ୍ବରରୁ ଗିରଫ ହୋଇଥିବା ଆନ୍ତର୍ଜାତୀୟସ୍ତରର କୁଖ୍ୟାତ ଧଳା ଜହର ବେପାରୀ ରାଜା ସହ ସମ୍ପର୍କକୁ ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଛି। ଫେରାର ହୋଇଯାଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ବନ୍ଧରେ ଏସ୍‌ଟିଏଫ୍‌ ତଥ୍ୟ ସଂଗ୍ରହ କରୁଛି। ଅଭିଯୁକ୍ତର ମୋବାଇଲ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି। ରାଜ୍ୟର କେଉଁ ବେପାରୀଙ୍କ ସହ ସେ ସମ୍ପର୍କରେ ଥିଲା ତାହା ଖୋଜା ଚାଲିଛି। ଖୁବ୍‌ଶୀଘ୍ର ସେହି ସବୁ ବେପାରୀଙ୍କ ଉପରେ ଚଢ଼ଉ ହେବ ବୋଲି କୁହାଯାଉଛି। ଏସ୍‌ଟିଏଫ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ନେଇ ସ୍ପଷ୍ଟ କରିବା ସହ ଅଧିକ ସୂଚନା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣାଯିବ ବୋଲି କହିଛନ୍ତି।

ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ୭ ମାସ ମଧ୍ୟରେ ଏସ୍‌ଟିଏଫ୍ ୧୫କିଲୋଗ୍ରାମ ୬୪୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ମୋଟ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ୪୦ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ ବେପାରୀ ରହିଛନ୍ତି। ଓଡ଼ିଶା ପୁଲିସର ଅନ୍ୟ ସମସ୍ତ ତଦନ୍ତକାରୀ ସଂସ୍ଥା ମିଶି ଗତ ୭ ବର୍ଷରେ ୭କେଜି ୨୩୬ ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରିଛନ୍ତି। ଅର୍ଥାତ୍‌ ଅନ୍ୟ ସମସ୍ତ ତଦନ୍ତକାରୀ ସଂସ୍ଥା ୭ ବର୍ଷରେ ଯେତିକି ଜବତ କରିଛନ୍ତି ମାତ୍ର ୭ମାସରେ ଏସ୍‌ଟିଏଫ୍‌ ସେହି ପରିମାଣର ଦୁଇଗୁଣ ଓଜନର ବ୍ରାଉନସୁଗାର ଜବତ କରିଛି। ଯାହା ଓଡ଼ିଶାର ସର୍ବକାଳୀନ ରେକର୍ଡ ବୋଲି ସୂଚନା ଦେଇଛନ୍ତି ଏଡିଜି ଶ୍ରୀ ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର