ସପ୍ତଧାରା ନିକଟରେ ବିସ୍ଫୋରଣ, ବିଏସ୍‌ଏଫ୍‌ ଯବାନ ଗୁରୁତର

ସତର୍କ ରହିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ

ମାଲକାନଗିରି : ଦୁଇ ଦିନର ବ୍ୟବଧାନ ପରେ ପୁଣି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ। ଏଥର ଜୟପୁର-ଗୋବିନ୍ଦପାଲ୍ଲୀ ରାସ୍ତାର ସପ୍ତଧାରା ନିକଟରେ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି। ଚିକିତ୍ସା ପରେ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ଶନିବାର ଦିନ ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଅତର୍କିତ ଭାବେ ହମଲା କରିଥିଲେ। ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବାରୁ ଦୁଇ ଜଣ ଯବାନଙ୍କ ସହ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିଲେ। ଏହାପରେ ଆଜି ପୁଣି ଅନୁରୂପ ଘଟଣା ଘଟାଇଛନ୍ତି ନକ୍ସଲ। ଆଜି ସକାଳ ପ୍ରାୟ ୧୧ଟାରେ ସପ୍ତଧାରା ଅଞ୍ଚଳରେ ବିଏସଏଫ ଯବାନ କମ୍ବିଂ ଅପରେସନରେ ପଶିଥିଲେ। ଡକ୍ରିଯୋଡି ନିକଟସ୍ଥ ରାସ୍ତାର କିଛି ଦୂରରେ ହଠାତ୍ ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନ ଜରତାର ସିଂହ ବୋଲି ସୂଚନା ମିଳିଛି। ସାଥୀ ଯବାନ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଗୋବିନ୍ଦପାଲ୍ଲୀ ମେଡିକାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ କଲେଜକୁ ନିଆଯାଇଥିଲା। ଯବାନଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲା ଅନ୍ତର୍ଗତ ପାଡୁଆ ଅଞ୍ଚଳରେ ୫ଜଣ ନକ୍ସଲ ନିହତ ହେବାପରେ ସୁରକ୍ଷା କର୍ମୀଙ୍କ ଉପରେ ବଡ଼ ଧରଣର ହମଲା କରିବାକୁ ସୁଯୋଗ ଖୋଜୁଛନ୍ତି। ତେଣୁ ମାଲକାନଗିରି ଜିଲ୍ଲାରେ କମ୍ବିଂ ଅପରେସନ କରୁଥିବା ଯବାନଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଥିବା କୁହାଯାଉଛି। ଲଗାତାର ଭାବେ ଦୁଇଟି ଘଟଣା ଘଟିବା ପରେ ସୁରକ୍ଷା କର୍ମୀଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଗୁଇନ୍ଦା ବାହିନୀକୁ ବି ସଜାଗ ରହି ସନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ଆଜିର ଘଟଣା ପରେ ଏହି ଅଂଚଳରେ ବିଏସଏଫ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯିବା ସହ ସନ୍ଦିଗ୍ଧ ଅଞ୍ଚଳରେ ଲ୍ୟାଣ୍ଡମାଇନ ଖୋଜା ଚାଲିଛି।

ସମ୍ବନ୍ଧିତ ଖବର