ଥମୁନି ବାଇ-ଲ’ ତାତି : ୨ କେନ୍ଦ୍ରମନ୍ତ୍ରୀଙ୍କ ମତ ମେଳ ଖାଉନି

ବାଇ-ଲ’ ପ୍ରତ୍ୟାହାର ହୋଇଛି ବୋଲି ଧରିନିଆଯାଉ: ପ୍ରତାପ
ତିନିଟି ପ୍ରତ୍ୟାହାର କରିବାକୁ କହି ମନ୍ତ୍ରୀ ଗୋଟିଏ କଲେ: ବିଜେଡି
କଂଗ୍ରେସର ଦସ୍ତଖତ ଅଭିଯାନ, ସମାଜବାଦୀ ପାର୍ଟିର ଶୋଭାଯାତ୍ରା

ଭୁବନେଶ୍ବର : ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ(ବାଇ-ଲ’) ପ୍ରତ୍ୟାହାର ହେଉନି। ଦିନ ଯେତିକି ଗଡ଼ୁଛି ବିରୋଧ, ଅସନ୍ତୋଷ ସେତିକି ତେଜୁଛି। ଏକାଧିକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଥିଲା ବେଳେ ଲୋକଙ୍କ ଭାବାବେଗ ସହ ନ ଖେଳିବା ପାଇଁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଜି କଂଗ୍ରେସ ଏହି ପ୍ରସଙ୍ଗରେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲା ବେଳେ ସମାଜବାଦୀ ପାର୍ଟି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଛି। ବାଇ-ଲ’ ପ୍ରତ୍ୟାହାର ନ ହେଲେ ଏକାମ୍ର କ୍ଷେତ୍ରରେ ବହୁ ଗଣ ସଂଗଠନ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା ମିଳୁଛି।

ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ମାପିଚୁପି ମନ୍ତବ୍ୟ ଦିଆଯାଉଛି। ତେବେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କ ମନ୍ତବ୍ୟରେ ତାଳମେଳ ନ ରହିବା ସମଗ୍ର ପ୍ରସଙ୍ଗଟିକୁ ଗୋଳିଆ କରିଦେଇଛି।

କେନ୍ଦ୍ରର ଆଭିମୁଖ୍ୟ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି। ଦୁଇ ଦିନ ତଳେ ଧର୍ମେନ୍ଦ୍ର ଟ୍ବିଟ୍‌ କରି କହିଥିଲେ ଯେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଠିକ୍ ଭାବେ ଚିଠା ଉପନିୟମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିନାହାନ୍ତି। ଚିଠା ଅଧିନିୟମକୁ ସେ ସିଧାସଳଖ ପ୍ରତ୍ୟାଖ୍ୟାନ କରି ନ ଥିଲେ। ବରଂ କହିଥିଲେ ଯେ ଏ ନେଇ ରାଜ୍ୟ ସରକାରଙ୍କ ଯାହା ଆପତ୍ତି ଅଛି ତାହାର ତାଲିକା ପ୍ରସ୍ତୁତ କରିବା ସହିତ ଏହାକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସଚିବଙ୍କୁ ଲିଖିତ ଭାବେ ଅବଗତ କରାଇବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। କିନ୍ତୁ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସିଧାସଳଖ ଏହି ଅଧିନିୟମକୁ ଭୁଲ୍‌ ବୋଲି ଦର୍ଶାଇଛନ୍ତି। ଏହାକୁ ପ୍ରତ୍ୟାହାର ପାଇଁ ଆଦେଶ ଦିଆସରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ଚିଠା ଅଧିନିୟମ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ପୁରୀ ଶ୍ରୀମନ୍ଦିରର ଅଧିନିୟମ ପ୍ରତ୍ୟାହାର କରାଯାଇଛି। ଏକାମ୍ର କ୍ଷେତ୍ରରେ ମଧ୍ୟ ତାହା ପ୍ରତ୍ୟାହାର ହେବ। ଏମିତି ସର୍କୁଲେସନ୍ ହେବା କଥା ନୁହେଁ। ଏହା ଉପରେ ବ୍ୟାପକ ଆଲୋଚନା ହେବା କଥା। ଏହି ଅଧିନିୟମକୁ ପ୍ରତ୍ୟାହାର କରିନିଆଗଲା ବୋଲି ଧରିନିଆଯାଉ।

କେନ୍ଦ୍ର ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ ଆମେ ବିଜେଡି ସାଂସଦ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସାଙ୍ଗରେ ଦେଖା କରିଥିଲୁ। ତିନିଟି ଯାକ ମନ୍ଦିରର ପବ୍ଲିକ୍‌ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କହିଥିଲୁ। ସେତେବେଳେ ମନ୍ତ୍ରୀ ଆମକୁ ଆଶ୍ବାସନା ଦେଇଥିଲେ କି କେନ୍ଦ୍ର ସରକାର ଏକା ସାଙ୍ଗରେ ସେସବୁ ପ୍ରତ୍ୟାହାର କରିଦେବେ। କିନ୍ତୁ ପରବର୍ତ୍ତୀ ସମୟରେ କେବଳ ପୁରୀ ପାଇଁ ପ୍ରତ୍ୟାହାର କରି ବସିପଡ଼ିଲେ। ଏକ ସପ୍ତାହ ହେଲାଣି, ପ୍ରଭୁ ଲିଙ୍ଗରାଜଙ୍କ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରତ୍ୟାହାର ହେଲା ନାହିଁ। ଆଶା କରୁଛି ଯେ ପ୍ରତାପ ନନା ଯାହା କହୁଛନ୍ତି, ତାହା ସତ ହେବ। ଆଉ ବାଇ-ଲ’ ଜଲ୍‌ଦି ପ୍ରତ୍ୟାହାର ହେବ।

ଇତିମଧ୍ୟରେ ବାଇ-ଲ’ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଆଜି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟରେ ଏକାଠି ହୋଇ କଂଗ୍ରେସ ନେତୃବୃନ୍ଦ ଏହି ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ଏକାମ୍ର କ୍ଷେତ୍ରର ସ୍ବାର୍ଥ ଓ ସ୍ବାଭିମାନ ପାଇଁ କଂଗ୍ରେସର ଲଢ଼େଇରେ ସାମିଲ୍‌ ହେବାକୁ ସମସ୍ତଙ୍କୁ ଆହ୍ବାନ ଦିଆଯାଇଛି। ଏହି ଦସ୍ତଖତ ସମ୍ବଳିତ ଦାବି ପତ୍ର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର ଓ ବିଶ୍ବଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଏକାମ୍ର କ୍ଷେତ୍ରରୁ କଳା ବାଇ-ଲ’ ପ୍ରତ୍ୟାହାର ଦାବିରେ ସମାଜବାଦୀ ପାର୍ଟି ଶୋଭାଯାତ୍ରା କରିବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ପାୱାର୍‌ ହାଉସ୍‌ ଛକ ଯାଏ ଯାଇଥିଲା। ଏହା ପରେ ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର