ସିଏଜି ରିପୋର୍ଟ : ଜଳସେଚନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ, ଉପଯୋଗ ନହୋଇ ଫେରିଯାଇଛି ୮୪୩ କୋଟି

ଭୁବନେଶ୍ବର : ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ( ସିଏଜି) ଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଆର୍ଥିକ ପରିଚାଳନାର ଅଡିଟ ରିପୋର୍ଟ ପ୍ରକାଶ ପାଇଛି । ଆଜି ଭୁବନେଶ୍ବରଠାରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ରେଳ ଅଡିଟ୍ ମହାନିର୍ଦ୍ଦେଶକ ବିଭୂଦତ୍ତ ବସନ୍ତିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ଓ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକଟ କରିଥିଲେ ମଧ୍ୟ ଜଳସେଚନ ବିଭାଗର ଆର୍ଥିକ ପରିଚାଳନା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇପାରିନଥିବାରୁ ସେଗୁଡ଼ିକର ସୁଫଳ ପାଇବାରେ ଚାଷୀମାନେ ବଞ୍ଚିତ ହୋଇଛନ୍ତି । ଜଳସେଚନ ପାଇଁ ଆସିଥିବା ୮୪୨.୯୮ କୋଟି ଟଙ୍କା ଉପଯୋଗ ହୋଇ ନପାରି ଫେରିଯାଇଛି ।

ସିଏଜି ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟର ୫ଟି ବୃହତ, ୯ଟି ବୃହତ ଉଠା ଓ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଡିଟ କରିଥିଲେ । ଏଗୁଡ଼ିକରେ ମାର୍ଚ୍ଚ ୨୦୨୦ ସୁଦ୍ଧା ୧୨,୭୪୨ କୋଟି ଟଙ୍କା ବ୍ୟୟ ହୋଇଛି । ୯ଟି ବୃହତ ଉଠା ଜଳସେଚନକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପଗୁଡିକର ମୂଲ୍ୟ ୧୪୨ରୁ ୪୫୯୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଭୂପୃଷ୍ଠ ଜଳସେଚନ ପ୍ରକଳ୍ପ (କେନାଲ ପ୍ରକଳ୍ପ) ଗୁଡ଼ିକର ଯୋଜନା, କାର୍ଯ୍ୟକାରିତା ଓ ମନିଟରିଂରେ ବ୍ୟାପକ ଅଭାବ ଥିବା ସିଏଜି ଉଲ୍ଲେଖ କରିଛନ୍ତି । ଟଙ୍କା ଥାଇ ମଧ୍ୟ କେତେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଜମି ଅଧିଗ୍ରହଣ ନହେବା, ଡିପିଆର (ସବିଶେଷ ପ୍ରକଳ୍ପ ରିପୋର୍ଟ)ରେ ତ୍ରୁଟି, ଭୁର ସର୍ଭେ ଓ ଅନୁସନ୍ଧାନ, ତ୍ରୁଟିଯୁକ୍ତ ଡିଜାଇନ, କେନାଲରେ ପାଣିର ଅଭାବ ଯୋଗୁଁ ଅଡିଟ ହୋଇଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇପାରିନଥିଲା । ଏହା ଫଳରେ ଜଳସେଚନ କ୍ଷମତାର ମାତ୍ର ୨୪ ପ୍ରତିଶତ ଉପଯୋଗ ହୋଇପାରିଛି । ବୃହତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନ କ୍ଷେତ୍ରରେ ୧୩ରୁ ୪୩ ବର୍ଷ ପର୍ଯ୍ୟନ୍ତ ବିଳମ୍ବ ହୋଇଛି । ଏହାଫଳରେ ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ବୃଦ୍ଧି ପାଉଛି ।

ସମ୍ବନ୍ଧିତ ଖବର