ଚାନ୍ଦିପୁର ଆଇଟିଆର୍‌ ତଥ୍ୟ ଚୋରି ମାମଲା: ଟଙ୍କା କାରବାରରେ ଆଉ ଜଣେ ଯୁବତୀ

୪୦ ହଜାର ଧାର ନେଇଥିଲା, ଦିନକ ପରେ ଫେରାଇଲା
ତଦନ୍ତ ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚ୍ ଏସ୍‌ଆଇଟି

କଟକ : ଚାନ୍ଦିପୁର ଆଇଟିଆର୍‌ ତଥ୍ୟ ଚୋରି ସହିତ ଯୋଡ଼ିହୋଇଛି ଟଙ୍କା କାରବାର। ଏହି ଟଙ୍କା କାରବାରରେ ଦୁବାଇ ପରେ ଏବେ ମୁମ୍ବାଇ ଲିଙ୍କ୍‌ ସାମ୍ନାକୁ ଆସିଛି। ପାକିସ୍ତାନୀ ଆଇଏସ୍‌ଆଇର ଜଣେ ସନ୍ଦିଗ୍ଧ ଯୁବତୀ ଏଜେଣ୍ଟ୍‌ ତଥ୍ୟଚୋରି ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କଠାରୁ ଟଙ୍କା ଉଧାର ନେଇଥିଲା ଏବଂ ଫେରାଇଥିଲା। ମୁମ୍ବାଇର ଏକ ବ୍ୟାଙ୍କରେ ଏହି ଟଙ୍କା କାରବାର କରାଯାଇଥିବା କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି। ଏ ସମ୍ପର୍କରେ ଅଧିକ ଛାନ୍‌ଭିନ୍‌ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଦୁଇଜଣିଆ ଟିମ୍‌ ମୁମ୍ବାଇ ଯିବେ ବୋଲି ସୂଚନା ମିଳିଛି।

ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହିତ ସମ୍ପର୍କ ରଖିବା ଓ ତଥ୍ୟ ଚୋରି ମାମଲାରେ ସମୁଦାୟ ୫ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚକୁ ମିଳିଥିବା ତଥ୍ୟ ଅନୁସାରେ, ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ଆକାଉଣ୍ଟକୁ ଟଙ୍କା ଆସିଥିଲା। ବସନ୍ତ ହେଉଛି ଏସି ଅପରେଟର୍‌। ବସନ୍ତ ସହିତ ଆଉ ଜଣେ ଗିରଫ ଅଭିଯୁକ୍ତ ବି ପାକିସ୍ତାନୀ ଏଜେଣ୍ଟ ସହିତ ଟଙ୍କା କାରବାର କରିଥିଲା। ସନ୍ଦିଗ୍ଧ ଯୁବତୀ ଜଣକ ଏକ ଆଇଡିରୁ ନିଜକୁ ବାଲେଶ୍ବର ଚାନ୍ଦିପୁରର ବାସିନ୍ଦା ବୋଲି ପରିଚୟ ଦେଇଥିଲା। ସେ ଦୁବାଇରେ କାମ କରୁଥିବା କହି ବସନ୍ତ ସହିତ ଫେସ୍‌ବୁକରେ ସମ୍ପର୍କ ଯୋଡ଼ିଥିଲା। ବସନ୍ତ ବି ଏହି ମାୟାଜାଲରେ ଛନ୍ଦି ହୋଇଯାଇଥିଲା। ଏବଂ ତାକୁ ନିଜର ଗର୍ଲଫ୍ରେଣ୍ଡ୍‌ କରି ଦେଇଥିଲା। ବସନ୍ତ ମନରେ ଆହୁରି ବିଶ୍ବାସ ଜନ୍ମାଇବା ପାଇଁ ଏକ ଫନ୍ଦି କରିଥିଲା ସନ୍ଦିଗ୍ଧ ଯୁବତୀ । ଗତ ଏପ୍ରିଲ ମାସରେ ପ୍ରଥ‌ମେ ଟଙ୍କା ମାଗିଥିଲା। ବସନ୍ତ ଦୁଇଟି କିସ୍ତିରେ ୩୦ ହଜାର ଓ ୧୦ ହଜାର ଟଙ୍କା ଯୁବତୀ ନିକଟକୁ ଅନ୍‌ଲାଇନରେ ପଠାଇଥିଲା। ଏହି ଟଙ୍କା ମୁମ୍ବାଇର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟକୁ ଯାଇଥିଲା। ଖୁବ୍‌ଶୀଘ୍ର ଫେରାଇ ଦେବାନେଇ ଯୁବତୀ ଜଣକ ପ୍ରତିଶ୍ରୁତି ଦେବାସହିତ ଠିକ୍‌ ପରଦିନ ଅର୍ଥାତ ଏପ୍ରିଲ ୧୯ ତାରିଖରେ ସମସ୍ତ ଟଙ୍କା ଫେରାଇ ଦେଇଥିଲା। ଏହାଦ୍ବାରା କର୍ମଚାରୀ ବସନ୍ତର ବିଶ୍ବାସ ଅଧିକ ଦୃଢ଼ୀଭୂତ ହୋଇଥିଲା।

ପୂର୍ବରୁ ବସନ୍ତର ବ୍ୟାଙ୍କ ଆକାଉଣ୍ଟକୁ ଦୁବାଇର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଥିବାବେଳେ ଗୋଟିଏ ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ ବୋଲି ଜଣାପଡ଼ିଥିଲା। ଏହି ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ ମାଧ୍ୟମରେ ବସନ୍ତ ନିକଟକୁ ୨୪ ହଜାର ଟଙ୍କା ଆସିଛି। କିନ୍ତୁ ଏହି ଏକ୍ସଚେଞ୍ଜରେ ଆକାଉଣ୍ଟଧାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ। ଅବଶିଷ୍ଟ ୧୪ ହଜାର ଟଙ୍କା ଦୁବାଇର କେଉଁ ବ୍ୟାଙ୍କରୁ ଆସିଛି, ସେ ନେଇ ତଥ୍ୟ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ହସ୍ତଗତ କରିପାରି ନାହିଁ। ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ଗୋଟିଏ ପଟେ ରାଜସ୍ଥାନ ଯୋଧପୁରସ୍ଥିତ ମିଲଟାରୀ ଇଞ୍ଜିନିୟରିଂ ସର୍ଭିସର ଚିଫ ଇଞ୍ଜିନିୟରିଂ ଅଫିସରେ କାମ କରୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇବା ମାମଲାର ତଦନ୍ତ କରୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ହାତରେ ମୁମ୍ବାଇ ଲିଙ୍କ୍ ଲାଗିଛି। ପୂର୍ବରୁ ୟୁକେ ନମ୍ବରରୁ ଆସିଥିବା ଫୋନ୍ କଲ୍ ଏବଂ ଦୁବାଇରୁ ଆସିଥିବା ଟଙ୍କା ଲିଙ୍କ୍ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ ରହିଛି। ଏହି ଘଟଣା ସାମ୍‌ନାକୁ ଆସିବାପରେ କ୍ରାଇମବ୍ରାଞ୍ଚ ଜଣେ ଡିଏସ୍‌ପି ଓ ଇନସ୍ପେକ୍ଟର ମୁମ୍ବାଇ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୁମ୍ବାଇର ଯେଉଁ ବ୍ୟାଙ୍କରୁ ଏହି ଟଙ୍କା ବାଲେଶ୍ବର ଟ୍ରାନ୍ସଫର୍ ହୋଇଛି, ଉକ୍ତ ବ୍ୟାଙ୍କରେ ଗଲା ଏପ୍ରିଲ ୧୯ ତାରିଖର ସିସି କ୍ୟାମେରା ଫୁଟେଜ କ୍ରାଇମବ୍ରାଞ୍ଚ ଜବତ କରିବ। କେଉଁ ବ୍ୟକ୍ତି ସେଦିନ ଟଙ୍କା ଜମା କରିବାକୁ ଆସିଥିଲା, ସେ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ମ୍ବାଇରେ ବି ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ରହିଥିବା ଘଟଣା ବି ଚର୍ଚ୍ଚାର ବିଷୟ ପାଲଟିଛି। କ୍ରାଇମବ୍ରାଞ୍ଚ ଏ ଦିଗରେ ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର