ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ/ଢେଙ୍କାନାଳ : ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ଲୋକଙ୍କୁ ସୁବିଧାରେ ବିନା ଖର୍ଚ୍ଚରେ ଚିକିତ୍ସା ସେବା ପାଇଁ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଦିଗରେ ସହାୟକ ହେବ। ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ସ୍ବାସ୍ଥ୍ୟ କାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସ୍ମାର୍ଟ କାର୍ଡ ବାଣ୍ଟିବା ସହିତ ଅନୁଗୁଳ ପାଇଁ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂକଳ୍ପ ଓ ତ୍ୟାଗକୁ ସ୍ମରଣ କରିଥିଲେ। ସେମାନଙ୍କ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ପାଇଁ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବୋଲି ପ୍ରକାଶ କରିବା ସହ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓଡ଼ିଶାର ଗରିବ ଲୋକଙ୍କ ମନରେ ଭରସା ସୃଷ୍ଟି କରିବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହା ଆଦର୍ଶ ହୋଇପାରିଛି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ୨୫୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୪୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହାସହିତ ୯୨୪ କୋଟି ଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଢେଙ୍କାନାଳ ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସେ ବିଜୁ ସ୍ବାସ୍ଥ୍ୟସେବା ସଚେତନତା ରଥର ଶୁଭାରମ୍ଭ କରିବା ସହିତ ୧୧୩ଟି ପ୍ରକଳ୍ପର ଲୋକାର୍ପଣ ଓ ୮୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଜିଲ୍ଲାରେ ୨ଲକ୍ଷ ୯୪ହଜାର ୪୫୫ଟି ସ୍ମାର୍ଟ ହେଲଥ୍ କାର୍ଡ ମାଧ୍ୟମରେ ୯ ଲକ୍ଷ ୯୨ହଜାର ୨୭୪ ଜଣ ହିତାଧିକାରୀ ମାଗଣା ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ସୂଚନା ଦିଆଯାଇଥିଲା।

ଢେଙ୍କାନାଳର ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବା ସହ ଓଡ଼ିଶା ବିକାଶରେ ଢେଙ୍କାନାଳ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ୮୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହିତ ପର୍ଯ୍ୟଟନର ବିକାଶ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦିଆଯାଇଛି। ସାରା ରାଜ୍ୟରେ ୨୦୦ରୁ ଉର୍ଦ୍ଧ୍ବ ବଡ ବଡ ହସ୍ପିଟାଲ୍‌ରେ ଏହି ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଦାୟିତ୍ବ ଦିଆଯାଇଛି। ଏହି ଅବସରରେ ଆବେଦା ବିବି, ପ୍ରିୟମ୍ବଦା ସାହୁ, ଗୌରୀ ସିଂହ, ସିଲ୍କସ୍ମିତା ବିଶୋଇ, ପୁଷ୍ପଲତା ପଟ୍ଟନାୟକ ପ୍ରମୁଖ ୫ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ କାର୍ଡ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକାର୍ଡ ସଂପର୍କିତ ସଚେତନତା ରଥର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଲୋକସଭା ସାଂସଦ ମହେଶ ସାହୁ ପ୍ରଜା, ପ୍ରଶାସନ ଏବଂ ପ୍ରତିନିଧି ଏକାକାର ହୋଇ ସମସ୍ତ କାର୍ଯ୍ୟ କଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି କହିଥିଲେ। ପର୍ଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଢେଙ୍କାନାଳ ବିଧାୟକ ସୁଧୀର ସାମଲ ସ୍ବାଗତ ଭାଷଣ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଧନ୍ୟବାଦ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର