ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ

ଭୁବନେଶ୍ବର: ଗୁୁରୁତର ଅସୁସ୍ଥ ଥିବା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରକାଶ ରାଓଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ନବୀନ ।

ଏହା ସହ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ଜିଲ୍ଲାପାଳ ଓ କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକାଶ ରାଓ ଅନୁଗୁଳକୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯାଇଥିବା ବେଳେ ହଠାତ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଏସସିବିରେ ଭର୍ତ୍ତି କରାଯାଇଛି । ଏବେ ସେ ଏସସିବିର ଆଇସିୟୁରେ ଅଛନ୍ତି ।

ତେବେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ମାର୍ଚ୍ଚ ମାସରେ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ଏହି ବିଶିଷ୍ଟ ସମାଜସେବୀ ୨୦୦ରୁ ଅଧିକ ଥର ରକ୍ତଦାନ କରି ରେକର୍ଡ କରିଛନ୍ତି । ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲ କରି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର