ଦୁଇଦିନିିଆ ସ୍ନାୟୁ ବିଶେଷଜ୍ଞ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର : ଉତ୍ତର ଓ ପୂର୍ବ ଭାରତର ସ୍ନାୟୁ ବିଶେଷଜ୍ଞ (ଶଲ୍ୟ ଏବଂ ଚିକିତ୍ସା) ବାର୍ଷିକ ସମ୍ମିଳନୀ ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର ପ୍ରଥମ ଏବଂ ସୁନାମଧନ୍ୟ ସ୍ନାୟୁଶଲ୍ୟ ଚିକିତ୍ସକ ପ୍ରଫେସର ଡ. ସନାତନ ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ଶ୍ୟାମା କାନୁନ୍‌ଗୋ, ଡ. ପ୍ରମୋଦ କୁମାର ରଥ, ପ୍ରଫେସର ଅନିଲ କୁମାର, ପ୍ରଫେସର ତାପସ କୁମାର ବାନାର୍ଜୀ, ପ୍ରଫେସର ପ୍ରଫୁଲ୍ଲ କୁମାର ସାହୁ, ପ୍ରଫେସର ସଞ୍ଜୀବ ମିଶ୍ର ପ୍ରମୁଖ ଯୋଗଦେଇ ସେମାନଙ୍କର ମୂଲ୍ୟବାନ ମତାମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସ୍ନାୟୁ ଚିକିତ୍ସକ ପ୍ରଫେସର ପ୍ରବୀର ମହାନ୍ତିଙ୍କୁ ତାଙ୍କର ଆଜୀବନ ସାଧନା ନିମନ୍ତେ ମୁଖ୍ୟ ଅତିଥି ଉକଢ଼ୌକନ ଓ ମାନପତ୍ର ସହିତ ସମ୍ବର୍ଧିତ କରିଥିଲେ। ପ୍ରଫେସର ଭବାନୀ ଶଙ୍କର ଦାସ ଓ ପ୍ରଫେସର ବସନ୍ତ କୁମାର ମିଶ୍ରଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।

ଏହି ଦୁଇଦିନିଆ ସମାରୋହରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦୦ ଜଣ ଅତିଥି ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହାସହିତ ୮୦ଟି ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ଓଡ଼ିଶାର ନୂତନ ସ୍ନାୟୁ ବିଶେଷଜ୍ଞ (ଚିକିତ୍ସା ଏବଂ ଶଲ୍ୟ) ମାନଙ୍କ ମଧ୍ୟରେ ଆଧୁନିକ ଜ୍ଞାନ କୌଶଳର ବିକାଶ, ପ୍ରଚାର ଓ ପ୍ରସାର ତଥା ନୂତନ ପ୍ରତିଭାର ଉଦ୍‌ଭାବନ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଶେଷରେ ସଂଗଠନ ସମ୍ପାଦକ ପ୍ରଫେସର ସଞ୍ଜୀବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ପ୍ରଫୁଲ କୁମାର ସାହୁ, ପ୍ରଫେସର ଅଶୋକ ମଲ୍ଲିକ, ପ୍ରଫେସର ପ୍ରଦୀପ୍ତ ତ୍ରିପାଠୀ, ପ୍ରଫେସର ମନ୍ମଥ କୁମାର ଧିର, ଡ. ରବିନାରାୟଣ ପଣ୍ଡା, ଡ. ସୌମ୍ୟଦର୍ଶନ ନାୟକ, ନ୍ୟୁରୋସର୍ଜରୀ ଏବଂ ନ୍ୟୁରୋଲୋଜି ବିଭାଗର ସମସ୍ତ ସଦସ୍ୟ, ସହଯୋଗୀ, ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର