ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ : ମୃତକଙ୍କ ପାଇଁ ୫ ଲକ୍ଷ କ୍ଷତିପୂରଣ, ପରିବାରର ଜଣଙ୍କୁ ସରକାରୀ ଚାକିରି

ସମ୍ବଲପୁର/ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଓଏସ୍‌ଏପି ଯବାନଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ‌ହୋଇ ୨୬ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଭିମସାରରେ ଭର୍ତ୍ତି କରାଯାଇଛି। ତେବେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ସିଏଲ ହେଲିପ୍ୟାଡ୍‌ରେ ଅବତରଣ କରି ଆହତଙ୍କୁ ଦେଖିବା ପାଇଁ ଭିମ୍‌ସାରକୁ ଆସିଥିଲେ। କାଜୁଆଲଟିରେ ଭର୍ତ୍ତି ଥିବା ଆହତଙ୍କୁ ଭେଟି ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏବେ ଦେହ କେମିତି ଲାଗୁଛି ବୋଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ପ୍ରଥମ ଏସ୍‌ଏସ୍‌ ବାଟାଲିୟନର ଯବାନ ଲେନିନ୍‌ ପ୍ରଧାନଙ୍କୁ ପଚାରିଥିଲେ। ତେବେ ଆହତଙ୍କୁ ଭେଟିବା ପରେ ବାହାରକୁ ଆସି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ମୃତ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବାନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। କୌଣସି ଅଙ୍ଗ ନଷ୍ଟ ହେବାର ଆଶଙ୍କା ଥିବା ଯବାନଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର