ବ୍ରହ୍ମପୁରରେ ୨ କୋଭିଡ ହସ୍‌ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର: କରୋନା ସଂକଟ ସମୟରେ ଗଂଜାମ ଜିଲ୍ଲାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବ୍ରହ୍ମପୁରରେ ନିର୍ମିତ ୨ଟି ଉତ୍ସର୍ଗୀକୃତ କୋଭିଡ-୧୯ ହସ୍ପିଟାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଗୋଲନ୍ଥରାସ୍ଥିତ ଅମିତ ହସ୍‌ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ଓ ଏମକେସିଜି ମେଡିକାଲ କଲେଜ ପରିସରରେ ଅନ୍ୟ ଏକ କୋଠାକୁ କୋଭିଡ ହସ୍ପିଟାଲ ଭାବେ ଭିଡିଓ ବାର୍ତ୍ତା ଜରିଆରେ ଉଦଘାଟନ କରିଛନ୍ତି । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅମିତ ହସ୍‌ପିଟାଲର ପରିଚାଳନା ଦାୟିତ୍ୱ କଟକର ଅଶ୍ୱିନୀ ଗ୍ରୁପ ଅଫ ହସ୍‌ପିଟାଲ ହାତରେ ରହିବ । ଏମକେସିଜିର ପ୍ରତକ୍ଷ୍ୟ ତତ୍ୱାବଧାନରେ ଅଶ୍ୱିନୀ ଗ୍ରୁପ ଅଫ ହସ୍‌ପିଟାଲର ଡାକ୍ତର, ନର୍ସ, ଟେକନିସିଆନ ଓ ଅନ୍ୟ କର୍ମଚାରୀ ଏଠାରେ କାମ କରିବେ । ଏଠାରେ ୨୪ଟି ଆଇସିୟୁ ସହିତ ଭେଣ୍ଟିଲେଟର ଅଛି । ସେହିଭଳି ୫୦ଟି ଏଚଡିୟୁ ଏବଂ ଆଇସୋଲସନ ୱାର୍ଡ ସହ ୭୬ ଜେନେରାଲ ୱାର୍ଡ ରହିଛି ।

ସେହିପରି ଏମକେସିଜିରେ ମଧ୍ୟ ଏକ ଉତ୍ସର୍ଗୀକୃତ କୋଭିଡ ହସ୍‌ପିଟାଲକୁ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଛନ୍ତି । ଏଠାରେ ୨୪ଟି ଆଇସିୟୁ ଥିବା ବେଳେ ୧୨୬ଟି ଆଇସୋଲେସନ ୱାର୍ଡ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଗଂଜାମରେ କରୋନା ମୁକାବିଲା ଲାଗି ୨୫ ଲକ୍ଷ ଟଙ୍କା ମଂଜୁରୀ ଦେଇଛନ୍ତି । ବ୍ରହ୍ମପୁରରେ ଖୁବ ଶୀଘ୍ର ପ୍ଲାଜମା ବ୍ୟାଙ୍କ ହେବ ।

ବ୍ରହ୍ମପୁର ଅଶ୍ୱିନୀ କୋଭିଡ ହସ୍‌ପିଟାଲରେ ୧୫୦ଟି ବେଡ ଥିବା ବେଳେ ଏଥିପାଇଁ ଲୋକନାଥ ଦଳବେହେରାଙ୍କୁ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଠାରେ ଡ. ମନୋଜ କୁମାର ପଣ୍ଡା ମେଡିକାଲ ଅଧିକାରୀ ଅଛନ୍ତି । ସେହିଭଳି ଏମକେସିଜି ମେଡିକାଲ ପରିସରରେ ନିର୍ମିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସଚ୍ଚିଦାନନ୍ଦ ନାୟକଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ସହଯୋଗୀ ପ୍ରଫେସର ଡ. ଅରୁଣ କୁମାର ମେଡିକାଲ ଅଧିକାରୀ ଅଛନ୍ତି ।

ସମ୍ବନ୍ଧିତ ଖବର