ମେୟରଙ୍କ ମାନବିକତା; ନିଜେ ଉଠାଇଲେ କୁକୁରର ମୃତଦେହ, ସିଏମସି କର୍ମଚାରୀଙ୍କୁ ସଜାଗ କଲେ

କଟକ: କଟକ ମହାନଗର ନିଗମ୍‌ (ସିଏମ୍‌ସି)ର ମେୟର ସୁବାସ ସିଂଙ୍କ ମାନବିକତା ଦେଖିବାକୁ ମଳିଛି। ନିଜେ ଉଠାଇଲେ ରାସ୍ତାରେ ମରି ପଡିଥିବା କୁକୁରର ମୃତଦେହ । ଅପେକ୍ଷା କଲେନି ସିଏମସିର ଶବଉଠା ଗାଡିକୁ । ମେୟରଙ୍କ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶଂସା କରାଯାଉଛି।

ଆଜି କଟକ ତଳତେଲେଙ୍ଗା ବଜାର ରାସ୍ତାରେ ଦୁର୍ଘଟଣାର ସାମ୍ନା କରି ଏକ କୁକୁରର ମୃତ୍ୟୁ ହୋଇଥିଲା। ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଉପରେ କୁକୁରର ମୃତଦେହ ପଡିଥିଲେ ମଧ୍ୟ ସିଏମସି ପକ୍ଷରୁ ଉଠାଯାଇ ନ ଥିଲା । ସେହି ରାସ୍ତା ଦେଇ ମେୟର ସୁବାସ ସିଂହ ସିଏମସି କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କ ନଜରକୁ ଏହା ଆସିଥିଲା । ସେ ଗାଡି ଅଟକାଇ ନିକଟସ୍ଥ ଦୋକାନରୁ ଏକ ଜରି ଆଣି ସେଥିରେ କୁକୁର ମୃତଦେହ ଭର୍ତ୍ତି କରି ସିଏମସି ଅଫିସ ନେଇଥିଲେ । ସେଠାରେ ଥିବା ଅଫିସରମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।

କଟକ ମହାନଗର ନିଗମ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଏକ କୁକୁରର ମୃତଦେହ ଦୀର୍ଘ ୪ ଘଂଟାଧରି ପଡିରହିଲା । ହେଲେ କେମିତି କୌଣସି ସିଏମସି କର୍ମଚାରୀଙ୍କ ନଜରକୁ ଆସିଲା ନାହିଁ, ତାହା ମେୟରଙ୍କୁ ଚକିତ କରିଥିଲା । କୁକୁରଟି ପଡ଼ିଥିବା ୱାର୍ଡରେ ୮ରୁ ୧୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ହେଲେ ଯଦି ଏତେ କର୍ମଚାରୀ ଥାଉ ଥାଉ ଦିନ ୧୦ ବେଳେ କାହାରି ନଜରକୁ ଏହା ଆସୁନାହିଁ, ଏଥିପାଇଁ କିଏ ଉତ୍ତରଦାୟୀ ରହିବେ । ନିଜେ କୁକୁରର ମୃତଦେହ ଉଠାଇ ଏକ ସଚେତନତାର ବାର୍ତ୍ତା ଦେବାକୁ ଚାହୁଁଛି ବୋଲି କହିଛନ୍ତି ସୁବାସ ସିଂ । ସିଏମସିର ସମସ୍ତ କର୍ମଚାରୀ ଓ ଅଧିକାରୀ କ୍ରିୟାଶୀଳ ହେବାକୁ ମେୟର ସଜାଗ କରିଛନ୍ତି ।

ସମ୍ବନ୍ଧିତ ଖବର