ଏମସିଏଲ ପରିଚାଳିତ ବିଭିନ୍ନ ଖଣିରୁ ଅବାଧରେ ଚାଲିଛି କୋଇଲା ଚୋରି, ପ୍ରଶାସନ ଓ ଏମସିଏଲ କର୍ତୃପକ୍ଷ ସବୁ ଜାଣି ମଧ୍ୟ ନିରବ

ବ୍ରଜରାଜନଗର : ବ୍ରଜରାଜନଗର ନିକଟରେ ଥିବା ଏମସିଏଲ ପରିଚାଳିତ ବିଭିନ୍ନ ଖଣିରୁ ଦୈନନ୍ଦିନ କୋଇଲା ଚୋରି ହେଉଛି। ପ୍ରଶାସନ ଓ ଏମସିଏଲ କର୍ତୃପକ୍ଷଙ୍କୁ ସବୁ ଜଣା ଥିଲେ ମଧ୍ୟ ଏହା ଖଣି ଭିତରୁ ଏବଂ ବିଭିନ୍ନ ଲୁକ୍କାୟିତ ଡିପୋରୁ ଲୁଟ୍ ହେଉଛି। ଏମସିଏଲ ସୁରକ୍ଷା ବିଭାଗ କିମ୍ବା ପୁଲିସ୍ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇ ପାରୁ ନାହାନ୍ତି। ଲକ୍ଷାଧିକ ଟଙ୍କାର କୋଇଲା ପ୍ରତି ଦିନ ଚୋରା ଅଭିନବ ଉପାୟରେ ଦିବାଲୋକରେ ଚୋରା ଚାଲାଣ ହେଉଛି। ରାଷ୍ଟ୍ରୀୟ ସମ୍ପତ୍ତିର ଏହି ହରିଲୁଟ୍‌କୁ ନିତିଦିନିଆ ଓ ସାଧାରଣ ଘଟଣା ଭାବେ ପ୍ରଶାସନ ବିବେଚନା କରୁଥିବାରୁ ସଚେତନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ବ୍ରଜରାଜନଗର ଖଣି ଅଞ୍ଚଳରେ ସମଲେଶ୍ବରୀ ଓ ଲଜକୁରା ଖୋଲାମୁହଁ କୋଇଲା ଖଣିରୁ ବ୍ୟାପକ ଚୋରି ହେଉଛି। ପାରମ୍ପରିକ ଭାବେ ବର୍ଷ ବର୍ଷ ଧରି ପୂର୍ବରୁ ସାଇକଲ ଯୋଗେ ଏହାକୁ ଅନ୍ୟତ୍ର ନିଆଯାଉଥିବା ବେଳେ ଏବେ ବାଇକ୍, ମୋପେଡ଼ ଆଦି ବ୍ୟବହାର ହେଉଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଏହା ଚାଲାଣ ହେଉଛି। ହୋଟେଲ, ଢାବା, ଇଟାଭାଟି ପୋଡ଼ିବା ପାଇଁ ଏହା ବେଆଇନ ଭାବେ ବ୍ୟବହାର କରାଯାଉଛି। ଏପରିକି ଜିଲ୍ଲା ବାହାରକୁ ଚାଲାଣ ପାଇଁ ନିର୍ଦି‌ଷ୍ଟ ରାକେଟ୍ କାମ କରୁଥିଲେ ବି ପୁଲିସ୍ ପ୍ରଶାସନ ଏହାକୁ ବନ୍ଦ କରିବାରେ ବିଫଳ ହେଉଛି। ଶତାଧିକ ମୋପେଡ, ବାଇକ ସହ ସାଇକଲ ଖଣି ଅଞ୍ଚଳରେ ଏଥିପାଇଁ ବ୍ୟବହୃତ ହେଉଛି। ପ୍ରତି ମୋପେଡରେ ଥରକୁ ୪ କୁଇଣ୍ଟାଲ ଓ ପ୍ରତି ସାଇକଲରେ ୨ କୁଇଣ୍ଟାଲ କୋଇଲା ବିଭିନ୍ନ ଖଣିଗୁଡ଼ିକରୁ ଚୋରି ହେଉଛି। ଇବ୍ ନଦୀ ପାରି ହୋଇ ଏହା ଝାରସୁଗୁଡ଼ା ଏବଂ ସେଠାରୁ ଅନାୟସରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଏଥିପାଇଁ କେତେକ ସ୍ଥାନରେ ଲୁକ୍କାୟିତ ଡିପୋ ମଧ୍ୟ ବିଧିବଦ୍ଧ କାମ କରୁଛି। ପ୍ରତି ମୋପେଡ ଚାଳକ ଦୈନିକ ୬ ଟ୍ରିପ କୋଇଲା ନେଉଥିବା ବେଳେ ସାଇକଲରେ ସକାଳେ ୨ ଟ୍ରିପ ଓ ସନ୍ଧ୍ୟାରେ ୧/୨ ଟ୍ରିପ ଚାଲାଣ ହେଉଥିବା ସୂଚନା ରହିଛି। ଏହି ଗାଡ଼ିଗୁଡ଼ିକୁ କୋଇଲା ମାଫିଆମାନେ ସାଧାରଣ ଓ ଗରିବ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କୁ ଯୋଗାଉଛନ୍ତି। ଏଥିପାଇଁ ରହିଥିବା ରାକେଟ୍ ଶିକୁଳି ଭଳି ବ୍ୟବସ୍ଥାରେ ପରିଚାଳିତ ହେଉଛି। ଗୋଟିଏ ସ୍ଥାନରୁ ଆଉ ଜଣେ ଏହାକୁ ପୁଣି ଅନ୍ୟ ଏକ ସ୍ଥାନକୁ ଚାଲଣ କରାଯାଏ। ଯେଉଁମାନେ ଚାଲାଣ କରନ୍ତି ସେମାନଙ୍କ ପରିଚୟ ନଥାଏ। ପ୍ରାୟତଃ ନୂଆ ନୂଆ ଲୋକ ସବୁ ବେଳେ ଏହି ରାକେଟ୍‌ରେ ପ୍ରବେଶ କରନ୍ତି। କେତେକ ସ୍ଥାନରେ କୋଇଲା ଚୋରମାନେ ନିଜେ କିଣୁଥିବା ମଧ୍ୟ ଜଣାଯାଏ।

କୋଇଲା ଟନ ପିଛା ୨୦୦୦ ଟଙ୍କା ବିକ୍ରି ହେଉଥିବା ବେଳେ ଚୋରା ବେପାରୀମାନେ ୧୨୦୦ରୁ ୧୪୦୦ ଟଙ୍କା ଦେଇଥାନ୍ତି। ବ୍ରଜରାଜନଗର ସହର ଦେଇ ସକାଳ ୫ଟାରୁ ଦିନତମାମ ଚାଲିଥାଏ। କିଛି ମୋପେଡ ଚାଳକ ମଧୁସୂଦନ ଛକ ଦେଇ ତେଲେନପାଲି ରେମଜା ହୋଇ ଯାଉଥିବା ବେଳେ ଆଉ କିଛି ଟନେଲ ରୋଡ ଶିବ ମନ୍ଦିର ହୋଇ ବିଜୁ ପଟ୍ଟନାୟକ ଛକ ଦେଇ ମିଲ ରାସ୍ତାରେ ଯାଉଛନ୍ତି। ବହୁ ସଂଖ୍ୟାରେ ଗୋପବନ୍ଧୁ ଛକ ଦେଇ ମୁଖ୍ୟ ରାସ୍ତାରେ ଖଲିଆକାନି ଦେଇ ଯାଉଛନ୍ତି। ଏହାଦ୍ବାରା ସହରବାସୀ ମଧ୍ୟ ଅସୁରକ୍ଷିତ ରହିଛନ୍ତି। କୋଇଲା ଧରି ମୋପେଡ୍‌ଗୁଡ଼ିକ ଘଣ୍ଟା ପ୍ରତି ୭୦ କି.ମି. ବେଗରେ ମୁଖ୍ୟରାସ୍ତାରେ ଛୁଟୁଛନ୍ତି। ଫଳରେ ଛୋଟବଡ଼ ଦୁର୍ଘଟଣା ଘଟାଇ ବେଳେ ବେଳେ ଏମାନେ ଫେରାର ହେଉଛନ୍ତି। ସାଧାରଣ ଲୋକଙ୍କ ଯାତାୟତ ଦୁର୍ବିସହ ହୋଇପଡ଼ିଛି। ଏହା ଖୋଲାଖୋଲି ଚାଲିଥିବା ବେଳେ ଏନେଇ ନିୟମକୁ ଲାଗୁ କରିବା ପାଇଁ ଏମସିଏଲ ସୁରକ୍ଷା ବିଭାଗ ଏବଂ ପୁଲିସ୍ ପ୍ରଶାସନର ଅପାରଗତା ମଧ୍ୟ ସାମ୍‌ନାରେ ଦେଖିବାକୁ ମିଳୁଛି। କିଛି ଅଧିକାରୀ ଓ କର୍ମଚାରୀଙ୍କ ସହ କୋଇଲା ଚ‌ୋରଙ୍କ ମଧୁଚନ୍ଦ୍ରିକା ରହିଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର