ଅଧା ବାଟରେ କୋକ୍ ବିକି ମିଶାଯାଉଛି ପିଚୁ

ଭାଇଜାଗ୍‌ରୁ ଆରତୀ ଷ୍ଟିଲ୍‌କୁ ଆସୁଥିଲା କୋକ୍‌, ଥାନାରେ ମାମଲା, ୫ ଟ୍ରକ୍ ଜବତ

କଟକ : ୟୁପିଏଲ୍‌ କୋକ୍‌ ବା ଅଲଟ୍ରା ଲାଇଟ୍‌ ଫସ୍‌ଫରସ୍‌ କୋକ୍‌ରେ ପିଚୁ ଗୁଣ୍ଡ ମିଶାଯିବା ନେଇ ଏକ ବଡ଼ଧରଣର କାରବାର ଧରାପଡ଼ିଛି। ଗଂଜାମରୁ କଟକ ପର୍ଯ୍ୟନ୍ତ ଏହି କାରବାର ଲମ୍ବି ଥିବା ବେଳେ ଏହି ଘଟଣାରେ ମାମଲା ରୁଜୁ ସହିତ ୫ଟି ଟ୍ରକ୍ ଜବତ କରାଯାଇଛି। ଘଟଣାକୁ ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ କଟକର ଖୁଣ୍ଟୁଣୀସ୍ଥିତ ଆରତୀ ଷ୍ଟିଲ୍‌କୁ ଆସୁଥିବା ୟୁପିଏଲ୍‌ କୋକ୍‌ ବା ଅଲଟ୍ରା ଲାଇଟ୍‌ ଫସ୍‌ଫରସ୍‌ କୋକ୍‌କୁ ଅଧ ବାଟରେ ବିକ୍ରି କରିଦେଉଥିଲେ ଟ୍ରକ ଚାଳକ। ଏହି ଘଟଣା ଯେପରି ଜଣା ନପଡ଼ିବ ଓ ସେଥିପାଇଁ ବିକ୍ରି କରୁଥିବା କୋକ୍‌ ଓଜନର ପିଚୁ ଗୁଣ୍ଡ ସେଥିରେ ମିଶାଇ ଦିଆଯାଉଥିଲା। ଫଳରେ ଲୋଡିଂ ସମୟରେ ଓଜନ ଯେତିକି ଥିଲା , ଅନ୍‌ଲୋଡିଂ ସମୟରେ ମଧ୍ୟ ସେତିକି ରହୁଥିଲା। କିନ୍ତୁ ଏହାର ମାନକୁ ନେଇ ପ୍ରଶ୍ନ ଉଠିବା ଫଳରେ ଯାଞ୍ଚରୁ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି। ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ ତରଫରୁ ମାଲ ଯୋଗାଉଥିବା ସଂସ୍ଥା ଏକ୍ସିମ୍‌ ଲଜିଷ୍ଟିକ୍‌ ପ୍ରାଇଭେଟ ଲିମିଟେଡ ଏଭଳି ଚୋରା କାରବାର ସଂପର୍କରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ‌ଏନେଇ ଏକ ମାମଲା ରୁଜୁ କରିଛି। ପିଚୁ ଗୁଣ୍ଡ ମିଶ୍ରିତ କୋକ୍‌ ବୋଝେଇ ୫ଟି ଟ୍ରକକୁ ଜବତ୍‌ କରାଯାଇଥିବା ଖୁଣ୍ଟୁଣୀ ଥାନାର ସେକେଣ୍ଡ  ଅଫିସର କେଦାରନାଥ ବିଶ୍ବାଳ ସୂଚନା ଦେଇଛନ୍ତି। ତେବେ ଏହି ଟ୍ରକ ଚାଳକମାନେ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଟାଟା ଷ୍ଟିଲ ମାଇନିଂ ଲିମିଟେଡ ତରଫରୁ ଏକ୍ସିମ ଲଜିଷ୍ଟିକ୍‌ ପ୍ରାଇଭେଟ ଲିମିଟେଡ୍ ଭାଇଜାକ ପୋର୍ଟରୁ ଆରତୀ ଷ୍ଟିଲ ଖୁଣ୍ଟୁଣୀ ପର୍ଯ୍ୟନ୍ତ ୟୁପିଏଲ୍‌ କୋକ୍‌ ପରିବହନ କରେ। ପରିବହନ ସଂସ୍ଥା ଶିବ ପାର୍ବତୀ ଲରି ଟ୍ରାନ୍ସପୋର୍ଟର ୫ଟି ଟ୍ରକରେ ଗତ ମେ ୨୮ତାରିଖରେ ୟୁପିଏଲ୍‌ କୋକ୍‌ ବୋଝେଇ ହୋଇ ଭାଇଜାଗ୍‌ରୁ ଆସିଥିଲା। ଏହି ଟ୍ରକ୍‌ ସବୁ ୩୦ ତାରିଖ ସୁଦ୍ଧା ଖୁଣ୍ଟୁଣୀସ୍ଥିତ ଆରତୀ ଷ୍ଟିଲରେ ପହଞ୍ଚିବା କଥା। କିନ୍ତୁ କୋକ୍‌ ଗୋଟିଏ ଦିନ ବିଳମ୍ବରେ ଅର୍ଥାତ୍‌ ମେ ୩୧ ତାରିଖରେ ପହଞ୍ଚି ଥିଲା। ଲୋଡିଙ୍ଗ ସମୟରେ କୋକ୍‌ର ମାନ ୮୪.୬ ଶତକଡା ରହିଥିବା ବେଳେ ପହଞ୍ଚିବା ପରେ ଟାଟା ଷ୍ଟିଲ ମାଇନିଂ ସ୍ୱୀକୃତି ପ୍ରାପ୍ତ ଯାଞ୍ଚକାରୀ ସଂସ୍ଥା ଏହାକୁ ଯାଂଚ କରିବା ସମୟରେ ଏହାର ମାନ ୨୦ ପ୍ରତିଶତ କମ୍‌ ରହିଥିବା ଜଣାପଡ଼ିଥିଲା। ଅଧିକ ଖୋଳତାଡରୁ ସେଥିରେ ପିଚୁ ଗୁଣ୍ଡ ମିଶା ଯାଇଥିବା ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର