ଚିଟ୍‌ଫଣ୍ଡ୍‌ ଅନୁସନ୍ଧାନରେ ସ୍ଥାଣୁତା : କଂଗ୍ରେସର ସିବିଆଇ ଅଫିସ ଘେରାଉ

ରାଜଧାନୀରେ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ବର : ଓଡ଼ିଶାରେ ଚିଟ୍‌ ଫଣ୍ଡ୍‌ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଏବେ ଶୀଥିଳ କାହିଁକି? କଣ ପାଇଁ ଆଉ ଅନୁସନ୍ଧାନ ହେଉନାହିଁ? କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟ ମିଳିବ କେବେ? ଏପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଜି କଂଗ୍ରେସ ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ସିବିଆଇ କାର୍ଯ୍ୟାଳୟ ଘେରାଉ ପାଇଁ ଦଳ ତ୍ରିରଙ୍ଗା ଯାତ୍ରା କରିଛି। ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ବିଜେଡି ସରକାରର ମନ୍ତ୍ରୀ ଓ ବିଧାୟକଙ୍କ ଅସଲ ଚେହେରା ପଦାକୁ ଆଣିବା ସହିତ ବିଜେପି ଓ ବିଜେଡିର ଅସଲ ଚେହେରା ପଦାକୁ ଆଣିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି।

ସୋମବାର ସ୍ଥାନୀୟ ୟୁନିଟ୍‌-୮ ଡିଏଭି ସ୍କୁଲ ଛକରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀନେ ତ୍ରିରଙ୍ଗା ଶୋଭାଯାତ୍ରାରେ ଯାଇ ସିବିଆଇ ଅଫିସ୍‌ ଘେରାଉ କରିଥିଲେ। ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ବିଭିନ୍ନ ଅପରାଧିକ ମାମଲାର ଅନୁସନ୍ଧାନ ସିବିଆଇ କରୁଛି। ହେଲେ ଲୋକେ ନ୍ୟାୟ ପାଇପାରୁନାହାନ୍ତି। ଚିଟ୍‌ଫଣ୍ଡ ସମେତ ମାଧବୀଲତା, ଇତିଶ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତର କିଛି ବି ଫଳ ମିଳିନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବହୁ ଚର୍ଚ୍ଚିତ ଚିଟ୍‌ ଫଣ୍ଡ ମହାଦୁର୍ନୀତିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସମ୍ପୃକ୍ତ ଅଛନ୍ତି। ଅନେକ ମାମଲାରେ ସେମାନେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଦୀର୍ଘ ଦିନ ଧରି ସିବିଆଇ ଅନୁସନ୍ଧାନ ପଡ଼ିରହିଛି। ଅଥଚ ମୋଦୀ ସରକାରଙ୍କ ସହ ବିଜେଡିର ଭିତିରି ବୁଝାମଣା ଯୋଗୁ ଏହା କେବଳ ପ୍ରହସନ ପାଲଟିଛି। ଉଭୟ ଦଳ ଭିତରେ ଏପରି ବୁଝାମଣା ହେଉଛି ଯେ ସଂସଦରେ କେନ୍ଦ୍ର ସରକାରଙ୍କ ସବୁ ବିଲ୍‌କୁ ବିଜେଡି ଅବିଳମ୍ବେ ସମର୍ଥନ ଦେଇ ଆସୁଛି। ରାଜ୍ୟସଭା ଆସନ ବି ବିଜେପିକୁ ବିଜେଡି ଟେକିଦେଉଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ରାଜ୍ୟରେ ପ୍ରାୟ ୨୦ଟି ମାମଲାରେ ସିବିଆଇ ତଦନ୍ତର ଫଳ ଶୂନ୍‌। ବିଶେଷକରି ଚିଟ୍‌ ଫଣ୍ତ୍‌ ଦୁର୍ନୀତି ତଦନ୍ତ ଆ​ଳରେ ବିଜେପି ନିଜ ଦଳୀୟ ସ୍ବାର୍ଥ ପାଇଁ ବିଜେଡି ଉପରେ ଚାପ ପକାଇବା କାର୍ଯ୍ୟରେ ବ୍ୟବହାର କରୁଛି। ଯାହାକି ଅତୀତରେ ଅନେକ ଘଟଣାରୁ ସ୍ପଷ୍ଟ ହୋଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ। ଚିଟ୍‌ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର କର୍ପସ୍‌ ପାଣ୍ଠି ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ପାଳିରୁ ଏହି ପ୍ରତିଶ୍ରୁତି ଏବେ ପାଣିରଗାର ହୋଇ ରହିଛି। ସ୍ବଳ୍ପ ଟଙ୍କା ବିନିଯୋଗ କରିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିଭରଣା କରିବା ପାଇଁ ଅତୀତରେ କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜଣକୁ ବି ଆଜି ପର୍ଯ୍ୟନ୍ତ ଟଙ୍କା ମିଳିଲାନି। ଏଥିରୁ ପ୍ରମାଣିତ ହେଉଛି, କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେବା ନେଇ ସରକାରଙ୍କ ଆନ୍ତରିକତା ନାହିଁ। ତା ନ ହୋଇଥିଲେ ଚିଟ୍‌ ଫଣ୍ଡ କମିସନଙ୍କୁ ବନ୍ଦ କରି ଦେଇନଥାନ୍ତେ। ରାୟଗଡ଼ା ଟିକିରି ଶିକ୍ଷୟତ୍ରୀ ହତ୍ୟା ଘଟଣା ହେଉକି ମାଧବୀଲତା ହତ୍ୟା ଘଟଣା ସିବିଆଇ ହାତରେ କିଛି ବି ପ୍ରମାଣ ଲାଗିପାରିଲାନି। ଏହାସହିତ ବିଭିନ୍ନ ମାମଲାରେ ସିବିଆଇ ତଦନ୍ତ କିପରି ଫେଲ୍‌ ମାରିଛି ସେ ସମ୍ପର୍କରେ ଶ୍ରୀ ମିଶ୍ର ଉଦାହରଣ ଦେଇଥିଲେ।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶଙ୍କ ନେତୃତ୍ବରେ ପରିଚାଳିତ ଏହି ଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ଦାସ, ମାନସ ଆଚାର୍ଯ୍ୟ, ରାଜୀବ ପଟ୍ଟନାୟକ, ରଞ୍ଜିତ ପାତ୍ର, ଅଶୋକ ଦାସ, ମୋହନ ଜେନା, ଗୀତାଞ୍ଜଳି ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସଂକୁନା କହଁର, ଦୀପକ ମହାପାତ୍ରଙ୍କ ସମେତ ବହୁ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଓ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର