ଓମ୍‌ବାଡ୍‌ସି ପାଣ୍ଠିରେ ଦୁର୍ଗମ ଅଞ୍ଚଳକୁ ୨୨୪.୦୪ କିମି ରାସ୍ତା ନିର୍ମାଣ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଯାତାୟାତ ସୁଗମ ହେଉଛି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା‌ରେ ରାସ୍ତା ନିର୍ମାଣ କ୍ଷେତ୍ରରେ ଓମ୍‌ବାଡ୍‌ସି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ସୁଦ୍ଧା ଜିଲ୍ଲାରେ ଓମ୍‌ବାଡ୍‌ସି ଅନୁଦାନରେ ୨୨୪.୦୪ କିମି ରାସ୍ତା ନିର୍ମାଣ ହୋଇଛି।

ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗାଁକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓମ୍‌ବାଡ୍‌ସି ଅନୁଦାନରେ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି। ଜିଲ୍ଲାର ହରିଚନ୍ଦନପୁର, ବାଂଶପାଳ ଓ ଝୁମ୍ପୁରା ବ୍ଲକ୍‌ରେ ରାସ୍ତା ନିର୍ମାଣ ଚାଲିଛି। ମୋଟ ୨୬୨.୩୨ କିମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କିମି ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି। ଏହାଦ୍ବାରା ୩୪ଟି ପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ବାକି ରାସ୍ତା ନିର୍ମାଣ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବାଂଶପାଳ ବ୍ଲକ୍‌ ନୟାକୋଟ ପଞ୍ଚାୟତରେ ବିଭିନ୍ନ ନାଳ ଉପରେ ନିର୍ମାଣ କରାଯାଇଛି ମୋଟ ୧୯୫.୩୯ ମିଟର ଲମ୍ବର ତିନିଟି ସେତୁ। ଏହା ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇଥିବାରୁ ୭ଟି ଗାଁର ୩୮୦୦ରୁ ଅଧିକ ଲୋକଙ୍କ ଜୀବନଧାରଣରେ ପରିବର୍ତ୍ତନ ଆସିଛି। ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଗୁଁ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଗାଁ ଏବେ ମୁଖ୍ୟ ବଜାର ଓ ସହରାଞ୍ଚଳ ସହ ଯୋଡ଼ି ହୋଇପାରିଛି। ‌ଗ୍ରାମାଞ୍ଚଳର ଲୋ‌କେ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ପାଇପାରୁଛନ୍ତି। ଗାଁକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। କମ ସମୟ ମଧ୍ୟରେ ପାଖ ବଜାର ସହ ଚାଷୀ ଓ ବ୍ୟବସାୟୀମାନେ ସିଧାସଳଖ ଯୋଡ଼ି ହୋଇପାରୁଛନ୍ତି।

ଏ ସମ୍ପର୍କରେ ବାଂଶପାଳ ବ୍ଲକ୍‌ ଲୁଙ୍ଗାଝର ଗ୍ରାମର ବେଣୁଧର ନାଏକ କହିଛନ୍ତି, ଆଗରୁ ତାଙ୍କ ଗାଁକୁ ଭଲ ରାସ୍ତା ନଥିଲା। ଯାତାୟାତରେ ବହୁତ ଅସୁବିଧା ହେଉଥିଲା। ଏବେ ପାହାଡ଼ କଟାଯାଇ ରାସ୍ତା ନିର୍ମାଣ ହୋଇଛି। ଗ୍ରାମବାସୀ ସୁବିଧାରେ ଡାକ୍ତରଖାନା ଯାଇପାରୁଛନ୍ତି। ପିଲାମାନେ ସ୍କୁଲ ଯାଉଛନ୍ତି। ଗାଡ଼ିମୋଟର ଚାଲିବା ଯୋଗୁଁ ଲୋକେ ସହରକୁ କମ ସମୟରେ ଯାଇପାରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି। ସେହିପରି ନୟାକୋଟର ସୁମତି ନାଏକ କହିଛନ୍ତି, ତାଙ୍କ ଗାଁକୁ ବିଭିନ୍ନ ନାଳ ଘେରି ରହିଛି। ବର୍ଷାଦିନ ଗାଁରୁ ବାହାରିବା ସମ୍ଭବ ହେଉନଥିଲା। ଏବେ ନାଳ ଉପରେ ପୋଲ ତିଆରି ହୋଇଛି। ଲୋକେ ସୁବିଧାରେ ଯାଇପାରୁଛନ୍ତି। ଆଗଭଳି ଆଉ ଯାତାୟାତରେ ସମସ୍ୟା ହେଉନି ବୋଲି ସୁମତି କହିଛନ୍ତି।

ସମ୍ବନ୍ଧିତ ଖବର