୧୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖଲିକୋଟ ବ୍ଲକର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍, ୧୦ଟି ଗାଁକୁ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକର ୯ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ କରୋନା ସଙ୍ଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି।

ବାଦପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର,ଗୁଣ୍ଡୁରିପଲ୍ଲୀ, ବଡ଼ପଲ୍ଲୀ, ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝୋର ଆଦି ୯ଟି ଗାଁକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

ଏହାଛଡ଼ା ଏହି ପଞ୍ଚାୟତସଂଲଗ୍ନ ୧୦ଟି ଗାଁକୁ ମଧ୍ୟ ବଫର ଜୋନ୍ ଘୋଷଣା କରାଯାଇଛି। ଠିକ୍ ସେହିପରି ଆୟିତିପୁର ପଞ୍ଚାୟତର  ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତର ବିରିପୁର ଗାଁକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଖଲିକୋଟର ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସଙ୍କୁ କଣ୍ଟେନମେଣ୍ଟ ଜୋନର ନିର୍ବାହୀ ମାଜିଷ୍ଟ୍ରେଟ୍ ଦାୟିତ୍ବ ଦିଆଯାଇଛି। ଏହି ଅଞ୍ଚଳରେ ଯାତାୟତକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର